ଭାରତ ବିପକ୍ଷ ମ୍ୟାଚ୍‌ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ

ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲ୍‌ଟେଜ ମ୍ୟାଚ୍‌ ପରେ ମଧ୍ୟ ପାକିସ୍ତାନ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ପତ୍ନୀଙ୍କ ସହ ରହିପାରିବେ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ପୂର୍ବରୁ ଦଳର କେବଳ ଦୁଇଜଣ ଖେଳାଳି ହାରିସ ସୋହେଲ ଓ ଅସିଫ ଅଲିଙ୍କୁ ପତ୍ନୀଙ୍କ ସହ ରହିବାକୁ ଅନୁମତି ଦିଆଯାଇଥିଲା। ନିକଟରେ ଅସିଫଙ୍କ କର୍କଟରେ ପୀଡ଼ିତ ଝିଅର ମୃତ୍ୟୁ ହୋଇଥିଲା। ଏଭଳି ସମୟରେ ସେ ପତ୍ନୀ ସାଙ୍ଗରେ ରହିବା ଦରକାର ଥିବା ଅନୁଭବ କରି ପିସିବି ଏଭଳି ନିଷ୍ପତ୍ତି ନେଇଥିଲା। ସେହିଭଳି ପାରିବାରିକ ସମସ୍ୟା ଯୋଗୁ ହାରିସଙ୍କୁ ମଧ୍ୟ ଅନୁମତି ମିଳିଥିଲା। ତେବେ ଏହି ପ୍ରଥା ଅନ୍ୟ ଦଳଗୁଡ଼ିକ କାର୍ଯ୍ୟକାରୀ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପିସିବି କର୍ମକର୍ତ୍ତା କହିଛନ୍ତି।

Share