Categories: ଖେଳ

‘ଭାରତ ବିନା ଟେଷ୍ଟ କ୍ରିକେଟ ତିଷ୍ଠିବ ନାହିଁ’

ଚଣ୍ଡିଗଡ଼, ୧୪।୫:କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ଟେଷ୍ଟ କ୍ରିକେଟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଚିନ୍ତା ପ୍ରକଟ କରିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ଏହାର ପୁନରୁଦ୍ଧାରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅନୁଭବ କରୁଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଭାରତୀୟ କ୍ରିକେଟ କୋଚ୍‌ ଗ୍ରେଗ୍‌ ଚାପେଲ। ”ଭାରତ ଯେଉଁଦିନ ଦୃଷ୍ଟି ହଟାଇନେବ ସେହିଦିନ ଟେଷ୍ଟ କ୍ରିକେଟର ଅନ୍ତ ଘଟିବ। ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟତୀତ ଅନ୍ୟ କୌଣସି ଦଳ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଟେଷ୍ଟ କ୍ରିକେଟକୁ ଆଗକୁ ନେଉଥିବା ମୁଁ ଦେଖି ପାରୁନାହିଁ“ ବୋଲି ଚାପେଲ କହିଛନ୍ତି। ଟି୨୦ କ୍ରିକେଟକୁ ସେ ବିରୋଧ କରୁନାହାନ୍ତି। ଏହା ଲୋକପ୍ରିୟ ହୋଇପାରିଛି। ତେବେ ଟେଷ୍ଟ କ୍ରିକେଟ କ୍ଷେତ୍ରରେ ଆର୍ଥିକ ସମସ୍ୟା ବଢ଼ିବଢ଼ି ଚାଲିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ ହିଁ ମୁଖ୍ୟ ବୋଲି କିଛିଦିନ ତଳେ କହିଥିଲେ। ଫଳରେ ଏହା ହୃତଗୌରବ ଫେରିପାଇବା ଆଶା ରହିଛି ବୋଲି ଚାପେଲ ପ୍ରକାଶ କରିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ଭାରତର ମୁଖ୍ୟ କୋଚ୍‌ଭାବେ ଚାପେଲଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ବିବାଦପୂର୍ଣ୍ଣ ରହିଥିଲା। ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କ ପୁସ୍ତକ ‘ପ୍ଲେଇଂ ଇଟ୍‌ ମାଇଁ ୱେ’ରେ ଲେଖିଛନ୍ତି ଯେ, ଚାପେଲ ଜଣେ ରିଙ୍ଗ୍‌ମାଷ୍ଟର। ନିଜ ଭାବନାକୁ ସେ ସର୍ବଦା ପିଲାଙ୍କ ଉପରେ ଲଦି ଦିଅନ୍ତି। ସେଥିରେ ଖେଳାଳି ଜଣକ ସହଜ ଅନୁଭବ କରୁଛି କି ନାହିଁ ତାହା ଚିନ୍ତା କରି ନ ଥାନ୍ତି। ତେବେ ଚାପେଲଙ୍କ କାର୍ଯ୍ୟକାଳ ପୂର୍ବରୁ ଭାରତ ରନ୍‌ଚେଜ୍‌ କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ଥିଲା। ସେ ୧ ବର୍ଷ କାର୍ଯ୍ୟ କରିବାପରେ ଭାରତ ଦ୍ୱିତୀୟରେ ବ୍ୟାଟିଂ କରି କ୍ରମାଗତ ୧୭ଟି ମ୍ୟାଚରେ ବିଜୟୀ ହୋଇଥିଲା। ତାଙ୍କ ସମୟରେ ଭାରତ ଦୀର୍ଘ ୩୫ ବର୍ଷ ବ୍ୟବଧାନରେ ୨୦୦୬ରେ ୱେଷ୍ଟଇଣ୍ଡିଜ ମାଟିରେ ଏକ ଟେଷ୍ଟ ସିରିଜ ଜିତିଥିଲା। ସେହିବର୍ଷ ଭାରତ ଦକ୍ଷିଣ ଆଫ୍ରିକାରେ ନିଜର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା। ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେଷ୍ଠ ଫିନିଶର କରି ଗଢ଼ି ତୋଳିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

Share