Categories: ଖେଳ

ଭାରତ- ବାଂଲାଦେଶ ସିରିଜ: ଭାରତୀୟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୩୦।୧୦- ଆଗାମୀ ଭାରତ- ବାଂଲାଦେଶ ସିରିଜ ଅବସରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଲାଗି ଦିଲ୍ଲୀ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ତାରିଖରେ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଅଧିନାୟକ ବିରାଟ କୋହଲି ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ରହିଛନ୍ତି। ମଙ୍ଗଳବାର ଏ ନେଇ ନ୍ୟାଶନାଲ ଇଭେଷ୍ଟିଗେଟ ଏଜେନ୍ସି (ଏନ୍‌ଆଇଏ)କୁ ଏକ ବେନାମୀ ଚିଠି ମିଳିଛି। ଭାରତୀୟ କ୍ରିକେଟ ଦଳ, ଖାସ୍‌ କରି କୋହଲି ହିଟ୍‌ ଲିଷ୍ଟରେ ରହିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ଆତଙ୍କବାଦୀଙ୍କ ଏହି ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟି (ଭାଜପା) ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଭାଜପା କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ରହିଛନ୍ତି। ମିଲିଥିବା ଏହି ଚିଠିକୁ ଏନ୍‌ଆଇଏ୍‌ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟକୁ ପଠାଇ ଦେଇଛି। କେରଳର କୋଝିକୋଡ ପର୍ଯ୍ୟବସିତ ଆତଙ୍କବାଦୀ ସଂଗଠନ ଅଲ୍‌ ଇଣ୍ଡିଆ ଲଶ୍କର କୋହଲି ଓ ଅନ୍ୟ ରାଜନେତାକଙ୍କୁ ଟାର୍ଗେଟ କରିଛି ବୋଲି ଏହି ଚିଠିରେ ଉଲ୍ଲେଖ କାରଯାଇଛି।
ଏହି ଚିଠି ଏକ ଫମ୍ପା ଧମକ ହୋଇପାରେ ବୋଲି କୁହାଯାଇଛି। ତେବେ କୋହଲି ଓ ଅନ୍ୟ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଦୌ ହେଳା କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ସିରିଜରେ ଭାରତ ଓ ବାଂଲାଦେଶ ୩ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ରବିବାରଠାରୁ ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ।

Share