Categories: ଖେଳ

ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିଙ୍କ ଧର୍ମଘଟ

ଢାକା, ୨୨ା୧୦ (ପି.ଟି.)- ଆଗାମୀ ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ଧର୍ମଘଟ କରିବେ। ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏହା ଉପରେ ନଜର ରଖିଛି। ଖେଳାଳିମାନେ ଉନ୍ନତ ହାରରେ ବେତନ ସମେତ ଅନ୍ୟ କେତେକ ଦାବି ପୁରଣ ପାଇଁ ଅଡ଼ି ବସିଛନ୍ତି। ଫଳରେ ବାଂଲାଦେଶ କ୍ରିକେଟ ଦଳର ଭାରତ ଟୁର୍‌ ନେଇ ଅନିଶ୍ଚିତତା ଦେଖା ଦେଇଛି। ଦାବି ପୂରଣ ନ ହେଲେ ସେମାନେ କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରାଯିବ ବୋଲି ଟେଷ୍ଟ ଓ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ, ମହମୁଦୁଲ୍ଲା ଏବଂ ମୁସ୍‌୍‌ଫିକର ରହିମଙ୍କ ଭଳି ଆଗଧାଡ଼ି ଖେଳାଳି ଏଠାରେ ଏକ ଖବରଦାତା ସମ୍ମିଳନୀରେ ଆହ୍ବାନ ଦେଇ କହିଛନ୍ତି। ଦାବି ପୁରଣ ଲାଗି ଅଭିପ୍ରାୟ ନେଇ ୫୦ରୁ ଅଧିକ ଖେଳାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୌଣସି କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବା ଅର୍ଥ ବର୍ତ୍ତମାନ ନ୍ୟାଶନାଲ କ୍ରିକେଟ ଲିଗ୍‌ ଅଗ୍ରଗତି ବାଧା ସୃଷ୍ଟି ହେବ। ଆସନ୍ତା ମାସରେ ହେବାକୁଥିବା ଭାରତ ଟୁର୍‌ ଲାଗି ଟ୍ରେନିଂ କ୍ୟାମ୍ପରେ ବିଭ୍ରାଟ ଦେଖା ଦେବ। ବାଂଲାଦେଶର ଭାରତ ଟୁର୍‌ ନଭେମ୍ବର ୩ରୁ ଆରମ୍ଭ ହେବ। ଦଳ ୩ଟି ଅନ୍ତର୍ଜାତୀୟ ଟି୨୦ ବ୍ୟତୀତ ବିଶ୍ୱ ଚାମ୍ପିୟନଶିପ୍‌ର ଅଂଶବିଶେଷ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ସ୍ଥାନୀୟ କୋଚ୍‌, ଫିଜିଓ, ଟ୍ରେନର ଏବଂ ଗ୍ରାଉଣ୍ଡମ୍ୟାନମାନଙ୍କକୁ ଉଚିତ୍‌ ପ୍ରାପ୍ୟ ମିଳିବା ଉଚିତ। ସେମାନେ ପ୍ରକୃତରେ ସ୍ବଳ୍ପ ବେତନ ପାଉଛନ୍ତି ବୋଲି ସିନିୟର ଓପନର ତାମିମ ଇକ୍‌ବାଲା କହିଛନ୍ତି। ବାଂଲଦେଶର ଆଭ୍ୟନ୍ତରୀଣ ବ୍ୟପାରର ଭାରତ ହସ୍ତକ୍ଷେପ କରିବାକୁ ଚାହୁନାହିଁ। ବିସିସିଆଇର ଭାବି ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଭୟ ବାଂଲାଦେଶ ଖେଳାଳି ଏବଂ ଅଫିସିଆଲଙ୍କ ସହିତ ସୁସମ୍ପର୍କ ରହିଛି। ସେ ଉଦ୍ୟମ କଲେ କିଛି ସମାଧାନର ସୂତ୍ର ମିଳିପାରେ ବୋଲି ଅନେକ ମନେ କରନ୍ତି। ଗୋଟିଏ ଟେଷ୍ଟ ମ୍ୟାଚ କୋଲକାତାରେ ଖେଳାଯିବାକୁ ଥିବାରୁ ବାଂଲାଦେଶ ସମର୍ଥକମାନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପ୍ରଥମ ଶ୍ରେଣୀ କ୍ରିକେଟ ପାଇଁ ମ୍ୟାଚ ଫି’ ୩୫ ହଜାରରୁ ୧ ଲକ୍ଷ (ବାଂଲାଦେଶ ଟାକା) ବୃଦ୍ଧି ପାଇଁ ଖେଳାଳିମାନେ ଦାବି କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରଙ୍କ ବେତନ ୫୦ ପ୍ରତିଶତ ବୃଦ୍ଧି କରାଯିବା ଉଚିତ୍‌ ବୋଲି ଷ୍ଟାର ଖେଳାଳି ଶକିବ କହିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରମାନେ ବର୍ତ୍ତମାନ ଦୈନିକ ଭତ୍ତା ବାବଦରେ ୧୫୦୦ ଟାକା ପାଉଛନ୍ତି। ଜଣେ କ୍ରିକେଟରଙ୍କ ପକ୍ଷେ ସୁସ୍ଥ ଜୀବନ ଶୈଳିପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଦେଶରେ ପ୍ରଥମ ଶ୍ରେଣୀ କ୍ରିକେଟରଙ୍କ ଲାଗି ବିମାନ ସେବା ବ୍ୟବସ୍ଥା କରିବା ଉଚିତ୍‌ ବୋଲି ଶକିବ କହିଛନ୍ତି।

Share