ଭାରତ-ଚାଇନା ବାଣିଜ୍ୟିକ ଯୁଦ୍ଧ

ଡ. ପ୍ରୀତିଶ କୁମାର ସାହୁ

ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷ ଅର୍ଥନୈତିକ ଏବଂ ବାଣିଜି୍ୟକ ଦିଗକୁ ପ୍ରଭାବିତ କରିବାରେ ଅନେକ ସଂକେତ ଦେଇଛି। ଯଦିବା ସଂଘର୍ଷକୁ ପ୍ରଶମିତ କରିବା ଲାଗି ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି କିନ୍ତୁ ବାଣିଜ୍ୟ କାରବାରକୁ ରୋକିବା ଲାଗି ‘ବୟକଟ ଚାଇନା’ର ନାରା ତୀବ୍ର ଧରିଛି। ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି- ଭାରତ କ’ଣ ଚାଇନା ସହିତ ଅର୍ଥନୈତିକ ଏବଂ ବାଣିଜ୍ୟ କାରବାର ବନ୍ଦ କରିପାରିବ? ଯଦିବା ସମ୍ପୂର୍ଣ୍ଣ ବାଣିଜ୍ୟ କାରବାର ବନ୍ଦ କରିବା ଅସମ୍ଭବ କିନ୍ତୁ ଏହି କାରବାର କମ୍‌ କରିବାରେ କେତେଦୂର ସମ୍ଭବ।
ବର୍ତ୍ତମାନ ପରିସ୍ଥିତିରେ ଚାଇନା ସହିତ ଭାରତର ଦ୍ୱିତୀୟ ସର୍ବବୃହତ୍‌ ବାଣିଜ୍ୟ କାରବାର ଅଛି। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଡାଟା କହୁଛି କି- ଆର୍ଥିକ ବର୍ଷ ୨୦୧୯-୨୦ରେ (ଏପ୍ରିଲ ୨୦୧୯-ମାର୍ଚ୍ଚ ୨୦୨୦) ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପ୍ରାୟ ୮୧ ବିଲିୟନ ଡଲାର ହୋଇଛି। ଏହା ମଧ୍ୟରୁ ଭାରତର ଆମଦାନୀ ଚାଇନାଠାରୁ ୬୫.୩ ବିଲିୟନ ହୋଇଥିବାବେଳେ ଭାରତ ଚାଇନାକୁ ୧୬.୬ ବିଲିୟନ ଡଲାରର ରପ୍ତାନି କରିଛି। ଅର୍ଥାତ୍‌, ଭାରତ ନିଜ ଆମଦାନୀର ୧୩.୩ ପ୍ରତିଶତ ଆମଦାନୀ ଚାଇନାଠାରୁ କରିଥିବାବେଳେ ଭାରତ ନିଜ ରପ୍ତାନିର ୫.୩ ପ୍ରତିଶତ ରପ୍ତାନି ଚାଇନାକୁ କରିଛି। ଆଜିର ଦିନରେ ଭାରତର ଚାଇନା ସହିତ ବାଣିଜି୍ୟକ ଘାଟା (ଟ୍ରେଡ୍‌ ଡେଫିସିଟ) ୪୮.୭ ବିଲିୟନ ଡଲାର ଅଛି। ଏହା ଏକା ପ୍ରକାରର ଆଶ୍ୱସ୍ତିଜନକ ଯେ, ଯେଉଁ ବାଣିଜି୍ୟକ ଘାଟା ୨୦୧୭-୧୮ରେ ୬୩.୩ ବିଲିୟନ ଡଲାର ଥିଲା ତାହା ଆଜି କମ୍‌ ହୋଇ ୪୮.୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଯଦିଓ ଭାରତର ବାଣିଜି୍ୟକ ଘାଟା ଚାଇନା ସହିତ କମିଛି କିନ୍ତୁ ଆଜିର ଦିନରେ ଚାଇନାଠାରୁ ଭାରତର ଆମଦାନୀ ଏହାର ରପ୍ତାନି ତୁଳନାରେ ୩.୯ ଗୁଣ ଅଧିକ।
ଭାରତ ଚାଇନାଠାରୁ ମୁଖ୍ୟତଃ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍‌ସ, ଅଟୋମୋବାଇଲ୍‌, ଔଷଧ ଓ ସୋଲାର ଶକ୍ତି ଉପକରଣ ପ୍ରଭୃତି ଦ୍ରବ୍ୟ ଆମଦାନୀ କରିଥିବାବେଳେ ଭାରତ ମୁଖ୍ୟତଃ ପ୍ରାଥମିକ ଦ୍ରବ୍ୟ ଏବଂ ଧାତୁ ପଦାର୍ଥ ଚାଇନାକୁ ରପ୍ତାନି କରିଥାଏ। ଭାରତର ବହୁ କ୍ଷେତ୍ର ଏବଂ ଶିଳ୍ପାନୁଷ୍ଠାନ ମଧ୍ୟବର୍ତ୍ତୀ ଦ୍ରବ୍ୟ (ଇଣ୍ଟରମିଡିଏଟ୍‌ ପ୍ରଡକ୍ଟ) ଚାଇନାଠାରୁ ଆମଦାନୀ କରିଥାଏ। ବ୍ରୁକିଙ୍ଗ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଚାଇନାରୁ ପ୍ରାୟ ୨୬ ବିଲିୟନ ଡଲାର ପୁଞ୍ଜି (ଇନଭେଷ୍ଟମେଣ୍ଟ) ଭାରତରେ ବିଭିନ୍ନ ସମାପିତ ଏବଂ ଯୋଜନାବଦ୍ଧ କାର୍ଯ୍ୟରେ ବିନିଯୋଗ ହୋଇଛି। ଏହିସବୁ ପରିସ୍ଥିତି ଦେଖି ଏହା ସ୍ପଷ୍ଟ ଯେ, ଦୁଇଦେଶ ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟ ଓ ନିବେଶ କାରବାର ଅତି ଅଧିକ। ଏହି କାରବାର ଅଚାନକ ବନ୍ଦ ହୋଇଗଲେ ଏହା ବାଣିଜ୍ୟ ଏବଂ ଅର୍ଥବ୍ୟବସ୍ଥାକୁ ଆଘାତ ସୃଷ୍ଟି କରିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଭାରତ ଆଗାମୀ ଦିନରେ ଏହି ଦ୍ୱିପାକ୍ଷିକ ନିର୍ଭରତାକୁ କମ୍‌ କରିପାରିବ ନାହିଁ। ସ୍ବଳ୍ପ ସମୟ ମଧ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ବାଣିଜ୍ୟ ଦିଗରେ କିଛି ତୁରନ୍ତ ପଦକ୍ଷେପ ଉଠାଇଛନ୍ତି। ଭାରତୀୟ ରେଳବାଇ ନିଷ୍ପତ୍ତିି ଅନୁଯାୟୀ ଯେଉଁ ୪୭୧ କୋଟି ଟଙ୍କାର ଟେଲିକମ୍ୟୁନିକେଶନ୍‌ କଣ୍ଟାକ୍ଟ ଚାଇନିଜ କମ୍ପାନୀକୁ ଦିଆଯାଇଥିଲା ତାହା ବାତିଲ କରାଯିବ। ଭାରତ ମଧ୍ୟ ୩୦୦ ଚାଇନା ପ୍ରଡକ୍ଟ ଉପରେ ଅଧିକ ଆମଦାନୀ ଟିକସ ଲଗାଇବାର ଯୋଜନା ରଖିଛି, ଯାହାଦ୍ୱାରା ଏହାର ଆମଦାନୀ କମ୍‌ ହେବା ସହିତ ଭାରତୀୟ ଉତ୍ପାଦନକାରୀମାନଙ୍କୁ ମଧ୍ୟ ଫଳପ୍ରଦ ହେବ। ଆହୁରି ମଧ୍ୟ ୧୬୦-୨୦୦ ପ୍ରଡକ୍ଟ ଉପରେ ବେଟିକସ ପ୍ରତିବନ୍ଧ ତଥା ଲାଇସେନ୍‌ସିଙ୍ଗ ଆବଶ୍ୟକତା, କ୍ୱାଲିଟି ନିୟନ୍ତ୍ରଣ ପ୍ରଭୃତି ଲଗାଇ ଏହାର ଆମଦାନୀ କମ୍‌ କରିବାର ଯୋଜନା ମଧ୍ୟ ଅଛି। ଏପରି କି ଆଗାମୀ ଦିନରେ କିଛି ନୀତି ଓ ବ୍ୟବସ୍ଥାର ଭିତ୍ତିଭୂମି ସ୍ଥାପନ କରିବାର ମନସ୍ଥ କରିଛନ୍ତି, ଯାହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥାରେ ଚାଇନା କମ୍ପାନୀର ଭୂମିକା କମ୍‌ ହେବ। ସିଏ ବାଣିଜ୍ୟ ହେଉ କି ନିବେଶ ହେଉ କି ଇନ୍‌ଫ୍ରାଷ୍ଟ୍ରକଚର୍‌ ହେଉ, ଭାରତ ସରକାର କିଛି ନୀତି ଆପଣାଇବା ପ୍ରଣାଳୀରେ ଅଛି, ଯାହାଦ୍ୱାରା ଚାଇନା କମ୍ପାନୀମାନେ ଭାଗ ନେବା କଷ୍ଟକର ହେବ। ତାହା ସହିତ ମଧ୍ୟ ଭାରତ ନିଜର ବାଣିଜ୍ୟ ଚୁକ୍ତି ଥିବା ଦେଶଗୁଡ଼ିକ ସହିତ ସମୀକ୍ଷା କରିବାର ଯୋଜନା ଅଛି, ଯେପରି କି ଚାଇନା ଏହି ଦେଶଗୁଡ଼ିକୁ ପ୍ରଭାବିତ ନ କରି ତାହାର ପ୍ରଡକ୍ଟ ଭାରତୀୟ ବଜାରକୁ ଅନୈତିକ ଭାବରେ ନ ଛାଡ଼େ।
ଆଜିର ବିଶ୍ୱକରଣ ସମୟରେ ଏହା ନିଶ୍ଚିତ ଯେ, ଭାରତ ଚାଇନା ସହିତ ସମ୍ପୂର୍ଣ୍ଣ ଭାବରେ ଅର୍ଥନୈତିକ ବାସନ୍ଦ କରିପାରିବ ନାହିଁ। ତାହା ସହିତ ମଧ୍ୟ ଭାରତ ଏବଂ ଚାଇନା ଉଭୟ ବିଶ୍ୱ ବ୍ୟାପାର ସଂଗଠନର (ଡବ୍ୟ୍ଲୁଟିଓ) ସଦସ୍ୟ ହୋଇଥିବାରୁ ଭାରତ ଚାଇନାକୁ ସମ୍ପୂର୍ଣ୍ଣ ବାଣିଜ୍ୟ ବାସନ୍ଦ କରିପାରିବ ନାହିଁ। କିନ୍ତୁ ଏହା ସମ୍ଭବ ହୋଇପାରିବ ଯେ, ଭାରତ ଆଗାମୀ ଦିନରେ ନିଜର ବାଣିଜି୍ୟକ ଦିଗ ପରିବର୍ତ୍ତନ (ଟ୍ରେଡ ଡାଇଭରସନ୍‌) କରି ଚାଇନା ସହିତ ବାଣିଜ୍ୟ ଏବଂ ଅର୍ଥନୈତିକ ନିର୍ଭରଶୀଳତାକୁ କମ୍‌ କରିପାରିବ। ଅର୍ଥାତ୍‌, ଭାରତ ନିଜର ବାଣିଜ୍ୟ, ନିବେଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନ୍ୟ ଦେଶଗୁଡ଼ିକ ସହିତ ଅର୍ଥନୈତିକ ନିବିଡ଼ତା ମଜଭୁତ କରିପାରିବ।
ପୂର୍ବରୁ ସମାପିତ କ୍ଷେତ୍ରୀୟ ବ୍ୟାପାର ଆର୍ଥତ୍କ ଭାଗୀଦାରି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରଶିପ – ଆରସିଇପି) ଚୁକ୍ତିରୁ ଭାରତର ପ୍ରତ୍ୟାଖ୍ୟାନ ନିଶ୍ଚିତ ଭାବରେ ଏକ ଫଳପ୍ରଦ ପଦକ୍ଷେପ। ଏହି ଚୁକ୍ତି ଅନୁଯାୟୀ ବାଣିଜ୍ୟ ଟିକସ ବିଲୋପ ଦ୍ୱାରା ଅଧିକ ମାତ୍ରାରେ ଚାଇନାରୁ ଶସ୍ତା ସାମଗ୍ରୀ ଭାରତୀୟ ବଜାରକୁ ପ୍ରବେଶ କରିବାର ପରିସ୍ଥିତିକୁ ଏଡାଇ ଦିଆଯାଇଛି। ଚାଇନା ସହିତ ବାଣିଜ୍ୟ କାରବାରକୁ କମ୍‌ କରିବାକୁ ହେଲେ ଭାରତ ଅନ୍ୟ ଦେଶମାନଙ୍କ ସହିତ ଏକ ଲାଭଜନକ ଦ୍ୱିପାକ୍ଷୀୟ ବା ବହୁପାକ୍ଷୀୟ ବାଣିଜ୍ୟ ଏବଂ ନିବେଶ ଚୁକ୍ତିକୁ ଚୂଡାନ୍ତ କରିବାର ଆବଶ୍ୟକ ଅଛି। ଯଥା ଭାରତ ବାଣିଜ୍ୟ ଚୁକ୍ତି ଆଲୋଚନା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସହିତ ଆରମ୍ଭ କରିଛି, ଯାହାକୁ ଚୂଡ଼ାନ୍ତ କରିବା ଆବଶ୍ୟକ। ସେହିପରି ଭାବେ, ଭାରତ ବର୍ତ୍ତମାନର ସ୍ଥିତିକୁ ଉପଯୁକ୍ତ ବ୍ୟବହାର କରି ଆମେରିକା ଏବଂ ଇଉରୋପିଆନ ୟୁନିୟନ୍‌ ସହିିତ ଏକ ସକାରାତ୍ମକ ବାଣିଜ୍ୟ ଚୁକ୍ତିର ଆବଶ୍ୟକତା ଅଛି। ଏହାଦ୍ୱାରା ଭାରତ ବାଣିଜି୍ୟକ ପରିବର୍ତ୍ତନ (ଟ୍ରେଡ ଡାଇଭରସନ) ଦ୍ୱାରା ଚାଇନା ସହିତ ବାଣିଜ୍ୟ କାରବାର କମ୍‌ କରିପାରିବ ଏବଂ ବାଣିଜି୍ୟକ ଘାଟା (ଟ୍ରେଡ଼ ଡେଫିସିଟ) ମଧ୍ୟ କମ୍‌ ହୋଇପାରିବ।
ଏହା ନିଶ୍ଚିତ ଯେ, କୋଭିଡ-୧୯ ସମୟ ଏବଂ ଏହା ପରବର୍ତ୍ତୀ ସମୟରେ ବିଶ୍ୱରେ ନିବେଶକଙ୍କ ଗତିବିଧିରେ ଅନେକ ପରିଲକ୍ଷିତ ହେବ। ଯେହେତୁ ଭାରତ ଗୋଟିଏ ନିବେଶକଙ୍କ ପସନ୍ଦ ସ୍ଥାନ, ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଏବଂ ବୃହତ ନୀତି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ। ତାହା ସହିତ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଜାନ ନୀତି, ଭାରତର ଇଜ ଅଫ ଡୁଇଙ୍ଗ ବିଜନେସ୍‌ରେ ଅଗ୍ରଗତି ଓ ଗ୍ଲୋବାଲ କମ୍ପିଟେଟିଭ୍‌ ଇଣ୍ଡେକ୍ସରେ ଆଜିର ସ୍ଥିତି ମଧ୍ୟ ଭାରତକୁ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ସବୁଠାରୁ ବଡ଼ କଥା ହେଲା- ସ୍ବଦେଶୀ ଉଦ୍ୟୋଗ ଓ ଉତ୍ପାଦନକାରୀଙ୍କୁ ମଜଭୁତ କରିବାକୁ ପଡ଼ିବ, ଯାହା କି ଆଗାମୀ ସମୟରେ ସପ୍ଲାଏ ଚେନକୁ ମଜଭୁତ କରିବା ସହିତ ରୋଜଗାରୀ, ଆୟ ଏବଂ ସ୍ବୟଂସମ୍ପନ୍ନ ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ। ଯଦି ଏହିସବୁ ଦିଗରେ ଭାରତ ବହୁ ମାତ୍ରାରେ ଫଳପ୍ରଦ ହୁଏ ଏବଂ ସରକାରଙ୍କ ମୌଦ୍ରିକ, ରାଜକୋଷୀୟ ଓ ଅନ୍ୟ ବୃହତ୍‌ ନୀତି ଆତ୍ମନିର୍ଭରତା ଅଭିଯାନକୁ ଆହୁରି ମଜଭୁତ କରାଏ ତା’ହେଲେ ଆଗାମୀ ଦିନରେ ଭାରତର ଅର୍ଥନୈତିକ ସମ୍ପର୍କ ଏବଂ ବାଣିଜ୍ୟ କାରବାର ଚାଇନା ସହିତ କମ୍‌ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର, ମୋ:୭୩୮୧୭୩୩୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri