Categories: ଖେଳ

ଭାରତ ଏ’ ଦଳରେ ରିଦ୍ଧିମାନ, ପନ୍ତ

ନୂଆଦିଲ୍ଲୀ,୧୫।୫(ପି.ଟି.)- ଉଇକେଟକିପର ରିଦ୍ଧିମାନ ଶାହା ଭାରତ ଏ’ରେ ସାମିଲ ହୋଇଛନ୍ତି। ଭାରତ ଏ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୫ଟି ଦିନିକିଆ ଓ ୩ଟି ୪ ଦିନିଆ ମ୍ୟାଚ୍‌ ଖେଳିବ। ଜୁଲାଇ ୧୧ ତାରିଖରୁ ପ୍ରଥମ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। ସେହିପରି ୨୪ ତାରିଖରୁ ୪ ଦିନିଆ ମ୍ୟାଚ୍‌ ଆରମ୍ଭ ହେବ।  ରିଦ୍ଧିମାନ ୪ ଦିନିଆ ମ୍ୟାଚ୍‌ ପାଇଁ ଦଳରେ ସାମିଲ ହୋଇଥିବାବେଳେ ପନ୍ତ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। କାନ୍ଧରେ ଆଘାତ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡିବା ବେଳକୁ ରିଦ୍ଧିମାନ ଭାରତ ୧ ନମ୍ବର ଉଇକେଟ କିପର ସାବ୍ୟସ୍ତ ହୋଇଥିଲେ। ଅସ୍ତ୍ରୋପଚାର ପରେ ସେ ବେଙ୍ଗଲ ଦଳକୁ ପ୍ରତ୍ୟାବର୍ତ୍ତନ କରି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଖେଳିଥିଲେ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ସଦ୍ୟସମାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୫ଟି ମ୍ୟାଚ୍‌ ଖେଳିଥିଲେ। ଶାହାଙ୍କ ଅନୁପସ୍ଥିତିରେ ଯୁବ ଉଇକେଟକିପର ରିଷଭ ପନ୍ତ ଟେଷ୍ଟ ଦଳରେ ସ୍ଥାନ ପକ୍କା କରିଛନ୍ତି। ରିଦ୍ଧିମାନ ଏବେ ଚୟନକର୍ତ୍ତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଦିନିକିଆ ଓ ୪ ଦିନିଆ ଦଳରେ ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ ଓ ହନୁମା ବିହାରୀ ମଧ୍ୟ ସାମିଲ ହୋଇଛନ୍ତି। ୪ ଦିନିଆରେ ଶ୍ରେୟାସ ଆୟର ଓ ଦିନିକିଆରେ ମନୀଷ ପାଣ୍ଡେ ନେତୃତ୍ୱ ନେବେ। ତେବେ ରବିଚନ୍ଦ୍ରନ ଅଶ୍ୱିନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ ଓ ଉମେଶ ଯାଦବ କାଉଣ୍ଟି ଖେଳିବାର କାର୍ଯ୍ୟକ୍ରମ ଥିବାରୁ ଦଳରେ ସାମିଲ ହୋଇ ନାହାନ୍ତି।

ସେହିପରି ଚୟନକର୍ତ୍ତାମାନେ ମେ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଏ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଘୋଷଣା କରିଛନ୍ତି। ଝାଡଖଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ୨ଟି ୪ ଦିନିଆ ମ୍ୟାଚ୍‌ରେ ଭାରତ ଏ ଦଳର ନେତୃତ୍ୱ ନେବେ। ସେହିପରି ପ୍ରିୟଙ୍କ ପଞ୍ଚାଲ ଜୁନ୍‌ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ନେତୃତ୍ୱ ନେବେ।

Share