Categories: ଖେଳ

ଭାରତୀୟ ହକି ଗୋଲକିପରଙ୍କ ସ୍ବତନ୍ତ୍ର କ୍ୟାମ୍ପ୍‌

ନୂଆଦିଲ୍ଲୀ,୩୦।୬(ପିଟି)- ଭାରତୀୟ ହକି ଗୋଲକିପର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକଙ୍କ ଭଳି ଦେଶର ଅନ୍ୟ ଗୋଲକିପରମାନଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଆୟୋଜନ କରାଯିବ। ନେଦରଲାଣ୍ଡର ଲୋକପ୍ରିୟ ହକି ଗୋଲକିପର ଟ୍ରେନର ଡେନ୍ନିସ ଭାନ୍‌ ଡେ ପୋଲଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ୭ ଦିନିଆ କ୍ୟାମ୍ପ୍‌ ଚାଲିବ। ସେଠାରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ ମଧ୍ୟ ଉପସ୍ଥିତ ରହିବେ। ଏହା ଚଳିତ ବର୍ଷର ପ୍ରଥମ ଗୋଲକିପର କ୍ୟାମ୍ପ୍‌। ଏହା କେବଳ ବର୍ତ୍ତମାନର ଗୋଲକିପର ନୁହେଁ, ଆଗାମୀ ଯୁବ ଗୋଲକିପରଙ୍କୁ ଫାଇଦା ଦେବ। ଏହା ଦ୍ୱାରା ଆମ ଗୋଲକିପରଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ମିଳିବ ବୋଲି ରିଡ୍‌ କହିଛନ୍ତି। ଡେନ୍ନିସ ନେଦରଲାଣ୍ଡର ଡ୍ରିଜଭର ଗୋଲି ଏକାଡେମୀଠାରେ ଦେଶର ଯୁବ ଗୋଲକିପର ଓ ବିଦେଶୀ ଦଳକୁ ଟ୍ରେନିଂ ଦିଅନ୍ତି। ସେ କାନାଡାର ମହିଳା ଦଳ ସହ ଜଡ଼ିତ ରହିଥିବାବେଳେ ଚାଇନା ଓ ପାକିସ୍ତାନରେ କାର୍ଯ୍ୟ କରିସାରିଛନ୍ତି।

Share