Categories: ଖେଳ

ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ

ଜିନଚେଓନ,୨୦।୫- ଭାରତୀୟ ମହିଳା ହକି ଦଳ ଆୟୋଜକ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ଲାଗି ଯୁବା ଷ୍ଟ୍ରାଇକର ଲାଲରେସିଆମି (୨୦ତମ ମିନିଟ୍‌) ଓ ନବନୀତ କୌର (୪୦ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜରେ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି।
ସ୍ପେନ୍‌ ଓ ମାଲେସିଆରେ ଭଲ ପ୍ରଦର୍ଶନ ପରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଦକ୍ଷିଣ କୋରିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା, ହେଲେ ଏହା ବେକାର ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ୨୦ତମ ମିନିଟରେ ଲାଲରେସିଆମିଙ୍କ ଫିଲ୍ଡ ଗୋଲ ଜରିଆରେ ଭାରତ ଖାତା ଖୋଲିଥିଲା। ଭ୍ରମଣକାରୀ ଦଳର ଅଗ୍ରଣୀ ବ୍ୟବଧାନକୁ ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ନବନୀତ ବଢ଼ାଇଥିଲେ। ପୂରା ମ୍ୟାଚ୍‌ରେ ଆୟୋଜକ ଦଳ ୫ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ କେବଳ ଥରେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଶିନ ହିଜୋଙ୍ଗ (୪୮ ତମ) ଏହି ଗୋଲ ଦେଇଥିଲେ। ଅଭିଜ୍ଞ ଗୋଲକିପର ସବିତାଙ୍କ ଉନ୍ନତ ପ୍ରଦର୍ଶନ ଯୋଗୁ ଭାରତୀୟ ଦଳ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ସିରିଜର ଦ୍ୱିତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।

Share