Categories: ଖେଳ

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେଟ୍ସରେ ବୋଲିଂ ସହାୟତା କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୪ଜଣ ଦ୍ରୁତ ବୋଲରଙ୍କୁ ମନୋନୀତ କରିଛି। ବାମହାତୀ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ସମେତ ଦୀପକ ଚହର, ନବଦୀପ ସଇନି ଓ ଅଭେଷ ଖାଁ ବିଶ୍ୱକପ୍‌ ସମୟରେ ନେଟ୍ସରେ ଭାରତୀୟ ଖେଳାଳିଙ୍କୁ ପ୍ରସ୍ତୁତିରେ ସହାୟତା କରିବେ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ୪ ଜଣ ଦ୍ରୁତ ବୋଲର ବର୍ତ୍ତମାନ ଚାଲିଥିବା ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୀପକ ଓ ନବଦୀପ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି। ସେହିଭଳି ଅଭେଷ ଓ ଖଲିଲ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଅଂଶଗ୍ରହଣ କରୁଛନ୍ତି। ଆଇପିଏଲ୍‌ରେ ବାଙ୍ଗାଲୋର ଖରାପ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଉଭୟ ଦୀପକ ଓ ନବଦୀପ ବର୍ତ୍ତମାନ ସୁଦ୍ଧା ୧୦ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ତେବେ ଅଭେଷ ଓ ଖଲିଲ୍‌ କେବଳ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି। ପ୍ରକାଶଯୋଗ୍ୟ, ମେ ୩୦ରୁ ଇଂଲଣ୍ଡରେ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୨ୟ ମ୍ୟାଚ୍‌ରେ ଭାରତ ଜୁନ ୯ରେ ଅଷ୍ଟ୍ରେଲିଆକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ଲିଗ୍‌ ପର୍ଯ୍ୟାୟ ଜୁନ ୧୬ରେ ମାଞ୍ଚେଷ୍ଟରଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ୍‌ ଅନୁଷ୍ଠିତ ହେବ।

Share