ଭାରତୀୟ ଦଳର ବୃଦ୍ଧା ଫ୍ୟାନଙ୍କୁ ଟିକେଟ୍‌ ଦେବେ କୋହଲି

ବର୍ମିଂହାମ,୩।୭(ପିଟି)- ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦେଖିବା ଲାଗି ଚାରୁଲତା ପଟେଲ ନାମ୍ନୀ ଜଣେ ବୃଦ୍ଧା (୮୭) ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ। ଚାରୁଲତାଙ୍କୁ ଭାରତୀୟ ଦଳର ବଳକା ବିଶ୍ୱକପ୍‌ ମ୍ୟାଚ୍‌ ଲାଗି ବିରାଟ କୋହଲି ଟିକେଟ ପ୍ରଦାନ କରିବେ। ଏ ନେଇ ଅଧିନାୟକ କୋହଲି ପ୍ରତିଶ୍ରୁତି ଦେଇଥିବା ଚାରୁଲତା କହିଛନ୍ତି। ଭାରତୀୟ ଦଳର ପ୍ରତ୍ୟେକ ଚୌକାରେ ସେ ଭାରତୀୟ ପତାକା ଉଠାଉ ଦେଖାଉଥିଲେ। ଏହା କୋହଲିଙ୍କ ଧ୍ୟାନ ଆକର୍ଷଣ କରିଥିଲା। ମ୍ୟାଚ୍‌ ପରେ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ବୃଦ୍ଧା ଫ୍ୟାନଙ୍କ ଆଶୀର୍ବାଦ ନେଇଥିଲେ। ମ୍ୟାଚ୍‌ ପରେ କୋହଲି ମୋତେ ଭେଟିଥିଲେ। ମୁଁ ତାଙ୍କୁ ଭଲ ପ୍ରଦର୍ଶନ କରି ବିଶ୍ୱକପ୍‌ ଜିତିବାକୁ କହିଛି। ମୋତେ ଦଳର ବଳକା ଦୁଇରୁ ୩ଟି ମ୍ୟାଚ୍‌ ଉପଭୋଗ କରିବା ଲାଗି କୋହଲି କହିଥିଲେ। ହେଲେ ମୋ ପାଖରେ ଟିକେଟ୍‌ ନ ଥିବା ଜଣାଇଥିଲି। ଏହାପରେ ସେ ମୋତେ ଟିକେଟ୍‌ ସମ୍ପର୍କରେ ଚିନ୍ତା ନ କରିବାକୁ କହିଥିଲେ। ଏହି ଭାରତୀୟ ଦଳର ବଡ଼ ପ୍ରଶଂସକ ରାତାରାତି ସୋସିଆଲ ମିଡିଆରେ ପରିଚିତ ହୋଇଯାଇଛନ୍ତି।

Share