Categories: ଖେଳ

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍‌ର ଏକ ଫ୍ରାଞ୍ଚାଇଜ୍‌ର ମାଲିକ ଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ଚାଲିଥିବା ତଦନ୍ତ କାର୍ଯ୍ୟରେ ସେ ବାଧା ସୃଷ୍ଟି କରିଥିବା ସ୍ବୀକାର କରିବାରୁ ଦଣ୍ଡକୁ ଦେଢବର୍ଷକୁ ହ୍ରାସ କରାଯାଇଛି। ଆଇସିସିର ଦୁର୍ନୀତି ନିରୋଧୀ ୟୁନିଟ (ଏସିୟୁ) ଦ୍ୱାରା ତଦନ୍ତ ଚାଲିଥିବାବେଳେ ଅଗ୍ରଓ୍ବାଲ ତଦନ୍ତ ପାଇଁ ଆବଶ୍ୟକ ପଡ଼ୁଥିବା ତଥ୍ୟ ଓ ସୂଚନାକୁ ଟ୍ୟାମ୍ପରିଂ କିମ୍ବା ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲେ। ଦୁର୍ନୀତି ନିରୋଧୀ ଟ୍ରିବ୍ୟୁନାଲରେ ଅଗ୍ରଓ୍ବାଲଙ୍କ ମାମଲାର ଶୁଣାଣି ହୋଇଥିଲା। ତାଙ୍କର ଉତ୍ତର ସନ୍ତୋଷଜନକ ଥିଲା। କୌଣସି ମ୍ୟାଚରେ ସେ ଜନସ୍ବାର୍ଥ ଅବା ବ୍ୟବସାୟିକ ହାନି କଲା ଭଳି କାର୍ଯ୍ୟ କରି ନ ଥିବା ତଦନ୍ତକାରୀ ଅଧିକାରୀମାନଙ୍କର ହୃଦ୍‌ବୋଧ ହୋଇଥିଲା। ସେ ଆହୁରି ମଧ୍ୟ କୌଣସି ମ୍ୟାଚର ଫଳାଫଳକୁ ପ୍ରଭାବିତ କଲା ଭଳି କାର୍ଯ୍ୟ କରି ନ ଥିଲେ। ଆଇସିସିର ଇଣ୍ଟିଗ୍ରିଟି ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ପ୍ରକାଶ କରିଛନ୍ତି। ଅଗ୍ରଓ୍ବାଲଙ୍କ ଉପରୁ ୨୦୨୧ ଅକ୍ଟୋବରରେ ବାସନ୍ଦ ଦଣ୍ଡ ଉଠିଯିବ। ସେ ପୂର୍ବଭଳି କ୍ରିକେଟ ସହିତ ସମ୍ପୃକ୍ତ ରହିପାରିବେ ବୋଲି ଆଇସିସି କହିଛି।

Share