Categories: ଖେଳ

ଭାରତୀୟ କ୍ରିକେଟ୍‌ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୧୯।୬- ଭାରତୀୟ କ୍ରିକେଟ୍‌କୁ ସୌରଭ ଗାଙ୍ଗୁଲି ଏକ ଶ୍ରେଷ୍ଠ ଦଳ କରିପାରିଥିଲେ। ଏହି କାରଣରୁ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ନାସିର ହୁସେନ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ଗାଙ୍ଗୁଲିଙ୍କ ନେତୃତ୍ୱ ଯୋଗୁ ଆମେ ସବୁବେଳେ ଭାରତ ସହିତ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥାଉ। ସେ ଭାରତକୁ ଏକ ଶ୍ରେଷ୍ଠ ଦଳ କରିପାରିଥିଲେ। ମୋ ମତରେ ଅଧିନାୟକ ଭାବେ ଗାଙ୍ଗୁଲି ହିଁ ଭାରତୀୟ କ୍ରିକେଟ୍‌ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ’ ବୋଲି ହୁସେନ ଏହି ଅବସରରେ କହିଛନ୍ତି। ସେହିଭଳି ଭାରତୀୟ ଦଳର ବର୍ତ୍ତମାନ ଅଧିନାୟକ ରହିଥିବା ବିରାଟ କୋହଲିଙ୍କୁ ହୁସେନ ବେଶ୍‌ ପ୍ରଶଂସା କରି କହିଛନ୍ତି ସେ ଯେତେ ସମୟ ପର୍ଯ୍ୟନ୍ତ ପଡ଼ିଆରେ ରହିଥାନ୍ତି ସର୍ବଦା ଜିତିବାକୁ ଚାହିଁଥାନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହେଉଥିବା ଗାଙ୍ଗୁଲି ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଜାତୀୟ ଦଳର ନେତୃତ୍ୱ ନେଇଥିଲେ। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୪୯ ଟେଷ୍ଟରୁ ୨୧ ବିଜୟ, ୧୩ ପରାଜୟ ଏବଂ ୧୫ ମ୍ୟାଚ୍‌ ଡ୍ର ରଖିପାରିଥିଲା। ବିରାଟ କୋହଲି (୩୩ ବିଜୟ) ଓ ମହେନ୍ଦ୍ର ସିଂ ଧୋନୀ (୨୭ ବିଜୟ)ଙ୍କ ପରେ ଟେଷ୍ଟରେ ସେ ଭାରତର ୩ୟ ସଫଳ ଅଧିନାୟକ। ସେହିଭଳି ଦିନିକିଆରେ ଗାଙ୍ଗୁଲି ୧୪୬ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି। ସେଥିମଧ୍ୟରୁ ଭାରତ ୭୬ ମ୍ୟାଚ୍‌ରେ ବିଜୟ ସ୍ବାଦ ଚାଖିଛି।

Share