Categories: ଖେଳ

ଭାରତୀୟ କ୍ରିକେଟରଙ୍କ ନାମରେ ଅଷ୍ଟ୍ରେଲିଆ ଷ୍ଟ୍ରିଟ୍‌

ମେଲବୋର୍ନ, ୧୬ା୬ (ପି.ଟି.)-ଅଷ୍ଟ୍ରେଲିଆରେ କେତେକ ଗଳି ଅବା ଷ୍ଟ୍ରିଟ୍‌ର ନାମକରଣ ସଚିନ ତେନ୍ଦୁଲକର, କପିଳ ଦେବ ଓ ବିରାଟ କୋହଲିଙ୍କ ଭଳି ଭାରତର କେତେଜଣ ମହାନ କ୍ରିକେଟରଙ୍କ ନାମାନୁସାରେ ହେବାକୁ ଯାଉଛି। ଆକୋଲେଟ୍‌ ଇଷ୍ଟେଟ୍‌ ନାମକ ଏକ ରିୟଲ ଇଷ୍ଟେଟ୍‌ ସଂସ୍ଥା ମେଲବୋର୍ନ ଉପକଣ୍ଠସ୍ଥିତ ରକ୍‌ବ୍ୟାଙ୍କ୍‌ ବାସଗୃହ ନିର୍ମାଣ କରୁଛି। କ୍ରେତାଙ୍କୁ ଆକର୍ଷିତ କରିବା ଲାଗି ଅଞ୍ଚଳର ଷ୍ଟ୍ରିଟ୍‌ଗୁଡ଼ିକର ନାମ ଯଥା ‘ତେନ୍ଦୁଲକର ଡ୍ରାଇଭ୍‌’, ’କୋହଲି କ୍ରିସେଣ୍ଟ’ ଓ ‘ଦେବ୍‌ ଟେରାସ୍‌’ ରଖାଯାଇଛି। ରିୟଲ ଇଷ୍ଟେଟ୍‌ ସଂସ୍ଥା ତରଫରୁ ଅନ୍ୟ କେତେକ ଗଳିର ନାମ ଯଥା ‘ ଓ୍ବ ଷ୍ଟ୍ରିଟ୍‌’, ‘ମିଆଁଦାଦ୍‌ ଷ୍ଟ୍ରିଟ୍‌’, ‘ଆମ୍ବ୍ରୋସ୍‌ ଷ୍ଟ୍ରିଟ୍‌’, ‘ସୋବର୍ସ ଡ୍ରାଇଭ୍‌’, ‘କାଲିସ୍‌ ଓ୍ବେ’, ହାଡ୍‌ଲି ଷ୍ଟ୍ରିଟ୍‌ ଏବଂ ‘ଆକ୍ରାମ ଓ୍ବେ’ ରଖାଯାଇଛି। ରକ୍‌ବ୍ୟାକ୍‌ ଉପକଣ୍ଠ ମେଲ୍‌ଟନ କାଉନ୍‌ସିଲ ଅଧୀନରେ ରହିଛି। ଏହି ଅଞ୍ଚଳରେ ବାସଗୃହ କ୍ରୟ କରିବାଲାଗି ଭାରତୀୟ ସମ୍ପ୍ରଦାୟ ଲୋକମାନେ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି। ଅଷ୍ଟ୍ରଲିଆରେ କୌଣସି ଷ୍ଟ୍ରିଟ୍‌ର ନାମକରଣ ପାଇଁ ସିଟି କାଉନ୍‌ସିଲର ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଏହା ଜିଓଗ୍ରାଫିକ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରୁଛି କି ନା ତାହା ଏହି ଅଫିସ ଦେଖିଥାଏ। ରିୟଲ ଇଷ୍ଟେଟ ସଂସ୍ଥାର କହିବା ଅନୁସାରେ ଷ୍ଟ୍ରିଟ୍‌ର ନାମକରଣ ପାଇଁ ସେମାନେ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ସମେତ ୬୦ଟି ନାମ ପଠାଇଥିଲେ। ମାତ୍ର ମେଲବୋର୍ନରେ ପୂର୍ବରୁ ତାଙ୍କ ନାମରେ ଏକ ଷ୍ଟ୍ରିଟ୍‌ ରହିଥିବାରୁ କାଉନ୍‌ସିଲ ଏହା ସମ୍ଭବ ନୁହେଁ ବୋଲି କହିଥିଲା। ବିଭିନ୍ନ କାରଣରୁ କୁମାର ସଙ୍ଗକାରା, ରାହୁଲ ଡ୍ରାଭିଡଓ ଓ ଏମ୍‌ଏସ୍‌ ଧୋନୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ବିଭିନ୍ନ ଦୃଷ୍ଟିକୋଣରୁ କାଟ୍‌ ଖାଇଥିଲା।

Share