ଭାରତରେ ଆଙ୍ଗ୍ଲୋଇଣ୍ଡିଆନଙ୍କ ସ୍ଥିତି

ଶରତ ଚନ୍ଦ୍ର ମିଶ୍ର
ଆ ମ ଦେଶ ସ୍ବାଧୀନ ହେଲା ପରେ କେତେକ ବର୍ଗର ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ହେଲା। ଦେଶ ବିଭାଜନ ସମୟରେ ଉତ୍ତର ଭାରତର ଅନେକ ମୁସଲମାନ ପାକିସ୍ତାନ ଚାଲିଗଲେ। ଏତଦ୍‌ବ୍ୟତୀତ ଆଙ୍ଗ୍ଲୋଇଣ୍ଡିଆନ, ପାର୍ଶୀ, ଇହୁଦୀ ଓ ଚାଇନା ବଂଶୋଦ୍ଭବ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଦେଶାନ୍ତରୀ ହେଲେ। ଅଣମୁସଲମାନ ଦେଶାନ୍ତରୀମାନଙ୍କ ମଧ୍ୟରେ ଆଙ୍ଗ୍ଲୋଇଣ୍ଡିଆନଙ୍କ ସଂଖ୍ୟା ଅଧିକ। ସେମାନଙ୍କ ନିମନ୍ତେ ସମ୍ବିଧାନରେ କେତେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଚାକିରି ଓ ଶିକ୍ଷାନୁଷ୍ଠାନକୁ ଅନୁଦାନର ସୁବିଧା ୧୯୬୦ରେ ଶେଷ ହୋଇଥିଲା। ପାର୍ଲାମେଣ୍ଟ ଓ ବିଧାନସଭାକୁ ମନୋନୟନ ଜାନୁୟାରୀ ୨୦୨୦ରେ ଶେଷ ହୋଇଯିବ। ଏଇ ପରିପ୍ରେକ୍ଷୀରେ ଆମ ଦେଶରେ ଅଧୁନା ଆଙ୍ଗ୍ଲୋଇଣ୍ଡିଆନମାନଙ୍କର ସ୍ଥିତି ଓ ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିବା। ସମ୍ବିଧାନର ୩୬୬ ଧାରା ଅନୁଯାୟୀ ଭାରତରେ ସ୍ଥାୟୀଭାବେ ବସବାସ କରୁଥିବା ଓ ଭାରତରେ ଜନ୍ମିତ କୌଣସି ବ୍ୟକ୍ତିଙ୍କର ପୂର୍ବପୁରୁଷ ଯଦି ୟୁରୋପୀୟ ହୋଇଥିବେ, ତେବେ ସେ ଆଙ୍ଗ୍ଲୋଇଣ୍ଡିଆନ ବୋଲି ବିବେଚିତ ହେବେ।
ସପ୍ତଦଶ ଶତାବ୍ଦୀରେ ଇଂରେଜ ଓ ଅନ୍ୟାନ୍ୟ ୟୁରୋପୀୟ ଭାରତକୁ ଆସି ଭାରତୀୟ ମହିଳାମାନଙ୍କୁ ବିବାହ କଲେ। ସେମାନଙ୍କର ସନ୍ତାନସନ୍ତତିଙ୍କୁ ୟୁରୋପୀୟ କୁହାଯାଉଥିଲା। ଅନେକ ୟୁରୋପୀୟ ସେନାପତି ଓ ଉଚ୍ଚବର୍ଗର କର୍ମଚାରୀ, ସମ୍ଭ୍ରାନ୍ତ ଭାରତୀୟ ପରିବାରରେ, ସାଧାରଣ କର୍ମଚାରୀ ଓ ସୈନିକମାନେ ସାଧାରଣ ପରିବାରରେ ବିବାହ କରୁଥିଲେ। ସିପାହି ବିଦ୍ରୋହ ଓ ଇଂଲଣ୍ଡରୁ ବାଷ୍ପୀୟ ପୋତରେ ଯିବାଆସିବା ସୁବିଧା ବୃଦ୍ଧି ହେଲା ପରେ ଏ ପ୍ରକ୍ରିୟା ଏକପ୍ରକାର ବନ୍ଦ ହୋଇଗଲା। ଆଙ୍ଗ୍ଲୋଇଣ୍ଡିଆନମାନେ ନିଜକୁ ସାହେବ ମନେକରି, ୟୁରୋପୀୟମାନଙ୍କ ସଙ୍ଗେ ମିଳିମିଶି ଚଳିବାକୁ ଚାହୁଁଥିଲେ ମଧ୍ୟ ନିରୁତା ୟୁରୋପୀୟମାନେ ସେମାନଙ୍କୁ ସାମାଜିକ ସ୍ତରରେ ଦୂରେଇ ରଖୁଥିଲେ। ଧର୍ମାନ୍ତରିତ ନୀଚବର୍ଗର ମହିଳାମାନେ ଅଧିକାଂଶ ଆଙ୍ଗ୍ଲୋଇଣ୍ଡିଆନ ପରିବାରର ହୋଇଥିବାରୁ ଉଚ୍ଚବର୍ଗର ହିନ୍ଦୁମାନେ ମଧ୍ୟ ସେମାନଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା କରୁଥିଲେ। ଫଳତଃ ଆଙ୍ଗ୍ଲୋଇଣ୍ଡିଆନମାନେ, ଏକ କ୍ଷୁଦ୍ର ସ୍ବତନ୍ତ୍ର ଗୋଷ୍ଠୀଭାବେ ଗଢିଉଠିଲେ ଓ ଇଂରେଜ ସରକାର ସେମାନଙ୍କ ନିମନ୍ତେ ରେଳବାଇ, କଷ୍ଟମ୍‌, ପୋଲିସ ଓ ଚା ବଗିଚାମାନଙ୍କରେ ଚାକିରିର ସ୍ବତନ୍ତ୍ର ବ୍ୟବସ୍ଥା କରାଇଥିଲେ। ଇଂରାଜୀମାନଙ୍କର ଜୀବନଶୈଳୀକୁ ଅନୁକରଣ କରି ଶିକ୍ଷା ଉପରେ ବିଶେଷ ଧ୍ୟାନ ନ ଦେଇ ଏକ ଆମୋଦପ୍ରିୟ ଗୋଷ୍ଠୀ ଭାବରେ ଏମାନେ ବିଭିନ୍ନ ରେଳବାଇ କଲୋନୀ ଓ ସହରମାନଙ୍କରେ ଗୋଷ୍ଠୀଗତ ଜୀବନଯାପନ କରୁଥିଲେ। ସତ୍ୟସାଇ ବାବାଙ୍କର ବେଙ୍ଗାଲୁରୁ ପାର୍ଶ୍ୱରେ ଥିବା White Field ଏକଦା ଗୋଟିଏ ଆଙ୍ଗ୍ଲୋଇଣ୍ଡିଆନ କଲୋନୀ ଥିଲା। ଡେଭିଡ୍‌ ହ୍ବାଇଟ୍‌ ନାମକ ଜଣେ ଆଙ୍ଗ୍ଲୋଇଣ୍ଡିଆନଙ୍କ ନାମରେ ଏହା White Field ଭାବେ ନାମିତ ହୋଇଛି।
ସ୍ବାଧୀନତା ପରେ ଭାରତରେ ସେମାନେ ଆଉ କୌଣସି ବିଶେଷ ସୁବିଧା ପାଇପାରିବେ ନାହିଁ ବୋଲି ଉପଲବ୍ଧି କରି ପଞ୍ଚମ, ଷଷ୍ଠ ଓ ସପ୍ତମ ଦଶକରେ ଅନେକେ ଭାରତ ଛାଡି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ କାନାଡ଼ା ଚାଲିଗଲେ। ଓଡ଼ିଶା ପୋଲିସରେ କେତେକ ଆଙ୍ଗ୍ଲୋଇଣ୍ଡିଆନ ଅଫିସର ଥିଲେ। ସେମାନେ ସମସ୍ତେ ବର୍ତ୍ତମାନ କାନାଡ଼ାରେ ବସବାସ କରୁଛନ୍ତି। ସ୍ବାଧୀନତା ପରେ ଆଙ୍ଗ୍ଲୋଇଣ୍ଡିଆନ ଝିଅମାନେ କନ୍‌ଭେଣ୍ଟ ସ୍କୁଲ ଶିକ୍ଷୟିତ୍ରୀ, ନର୍ସ, ଏୟାରହୋଷ୍ଟେସ ଓ କର୍ପୋରେଟ ଅଫିସରେ ଅଭ୍ୟର୍ଥନାକାରିଣୀ ଆଦି ଚାକିରି ପାଇପାରିଲେ କିନ୍ତୁ ପୁଅମାନେ ପ୍ରତିଯୋଗିତାମୂଳକ ବ୍ୟବସ୍ଥାକୁ ମୁକାବିଲା କରିପାରିଲେନି। ସେମାନଙ୍କ ମୁଣ୍ଡରେ ପିଲାଦିନୁ ପୂରାହୋଇଛି ଇଂଲଣ୍ଡ ତୁମର ପିତୃଭୂମି। ସେମାନେ ଚାହିଁଲେ ଘରବାହୁଡ଼ା। କେତେକ କର୍ମକ୍ଷେତ୍ରରେ ଏଇ ଶ୍ୱେତବର୍ଣ୍ଣା ଲଳନାମାନଙ୍କର ଖୋଲାମେଲା ସ୍ବଭାବର ଫାଇଦା ଉଠାଇବାକୁ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଚାହିଁଲେ। ଅନେକ ଭାରତୀୟ ପୁରୁଷଙ୍କର ଗୋରା ଚମଡା ପ୍ରତି ବଡ଼ ଦୁର୍ବଳତା। ଆଙ୍ଗ୍ଲୋଇଣ୍ଡିଆନ ଝିଅମାନେ ସୁରକ୍ଷିତ ରହିଲେ ନାହିଁ। ବହୁସଂଖ୍ୟାରେ ବିଦେଶ ଗମନ ହେତୁ ସେମାନଙ୍କ କଲୋନୀଗୁଡିକରେ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଲା। ବର୍ତ୍ତମାନ ସେ କଲୋନୀଗୁଡ଼ିକରେ ବୟସ୍କ ବ୍ୟକ୍ତିମାନଙ୍କର ସଂଖ୍ୟା ଅଧିକ ଓ ଅନେକ ଅଣ-ଆଙ୍ଗ୍ଲୋଇଣ୍ଡିଆନ ବାସ କରୁଛନ୍ତି। ଆମ ଓଡ଼ିଶାରେ ଖୋର୍ଦ୍ଧାରୋଡ ଓ ଝାରସୁଗୁଡାରେ ଏଇପରି ଦୁଇଟି କଲୋନୀରେ ଆଙ୍ଗ୍ଲୋଇଣ୍ଡିଆନ ବାସ କରୁଥିଲେ। ଆଙ୍ଗ୍ଲୋଇଣ୍ଡିଆନମାନଙ୍କର ଏ ପରିବର୍ତ୍ତିତ ଜୀବନ କାହାଣୀ ସମ୍ବନ୍ଧରେ କଲିକତାର ଚଳଚ୍ଚିତ୍ର ପ୍ରଯୋଜକ ଅପର୍ଣ୍ଣା ସେନ 36 chowrangee Lane ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
କେତେଜଣ ଆଙ୍ଗ୍ଲୋଇଣ୍ଡିଆନ ଉଚ୍ଚପଦାସୀନ ହୋଇପାରିଛନ୍ତି। ଆକାଶବାହିନୀର ଦୁଇଜଣ ପୂର୍ବତନ ମୁଖ୍ୟ ଓ ନୌବାହିନୀର ଦୁଇଜଣ ପୂର୍ବତନ ମୁଖ୍ୟ ଏହି ଗୋଷ୍ଠୀର। ଜଣେ ଆଙ୍ଗ୍ଲୋଇଣ୍ଡିଆନ ଓଡ଼ିଶାର ପ୍ରମୁଖ ଶାସନ ସଚିବ (ଏ.କେ. ବାରେନ) ପଦ ଅଳଙ୍କୃତ କରିଥିଲେ ଓ ବର୍ତ୍ତମାନର ପାର୍ଲାମେଣ୍ଟର ନେତା ତେରେକ ଓବ୍ରାଇନଙ୍କ ଜେଜେବାପା ଓ.ପି. ଓବ୍ରାଇନ ରେଭେନ୍ସା କଲେଜରେ ଇଂଲିଶ ବିଭାଗର ଅଧ୍ୟାପକ ଥିଲେ। ମାଡ୍ରାସ ପୋଲିସରେ ଦୁଇଜଣ ସ୍ବାଧୀନତା ପରର ପୂର୍ବତନ ମୁଖ୍ୟ ଏଇ ଗୋଷ୍ଠୀର। ସେମାନଙ୍କ ମଧ୍ୟରୁ କେତେଜଣ ପରିଣତ ବୟସରେ ନିଜ ପିଲାମାନଙ୍କ ସାଙ୍ଗରେ ରହିବାକୁ ଅଷ୍ଟ୍ରେଲିଆ, କାନାଡା ଚାଲି ଯାଇଛନ୍ତି।
ସତୁରି ଦଶକ ପରେ ପରିସ୍ଥିତିରେ ପରିବର୍ତ୍ତନ ଘଟିଲା। ଦେଶାନ୍ତରୀ ହୋଇଥିବା ବ୍ୟକ୍ତିମାନେ ବିଦେଶରେ କର୍ମସଂସ୍ଥାନ ପ୍ରାପ୍ତ ହେଲେ ମଧ୍ୟ ସାମାଜିକ ସ୍ବୀକୃତି ପାଇପାରିଲେ ନାହିଁ। ଗୋଷ୍ଠୀର ନେତା ଫ୍ରାଙ୍କ୍‌ ଆନ୍ଥୋନୀ ଆଙ୍ଗ୍ଲୋଇଣ୍ଡିଆନମାନଙ୍କୁ ଭାରତକୁ ନିଜର ମାତୃଭୂମି ଭାବେ ଗ୍ରହଣ କରି ଏଠିକାର ଜୀବନପ୍ରବାହ ସହିତ ନିଜକୁ ମିଶାଇବାକୁ ପ୍ରବର୍ତ୍ତାଇଲେ ଓ ଆମୋଦପ୍ରମୋଦର ଜୀବନ ଅପେକ୍ଷା, ଶିକ୍ଷା ଲାଭ କରି ପ୍ରତିଯୋଗିତାମୂଳକ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପରାମର୍ଶ ଦେଲେ। ବର୍ତ୍ତମାନ ଏଇ ଗୋଷ୍ଠୀର ବ୍ୟକ୍ତିମାନେ ଶିକ୍ଷାଲାଭ କରିବାକୁ ଚେଷ୍ଟିତ। ଇଂଲିଶ ମାଧ୍ୟମ ସ୍କୁଲ ସବୁ ବୃଦ୍ଧି ହେବା ଫଳରେ ଇଂଲିଶ ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ଏମାନଙ୍କର ଚାହିଦା ବୃଦ୍ଧି ପାଇଛି। ଭାରତୀୟ ଯୁବତୀଯୁବକମାନେ ପାଶ୍ଚାତ୍ୟ ବେଶପୋଷାକ, ଖାଦ୍ୟ, ନୃତ୍ୟ ଓ ସଙ୍ଗୀତ ପ୍ରତି ଆକୃଷ୍ଟ ହେବା ହେତୁ, ଆଙ୍ଗ୍ଲୋଇଣ୍ଡିଆନ ଓ ମୂଳ ଭାରତୀୟମାନଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଛି। ଆଙ୍ଗ୍ଲୋଇଣ୍ଡିଆନ ଝିଅ ଭାରତୀୟ ଖ୍ରୀଷ୍ଟିଆନଙ୍କୁ ବିବାହ କଲେ ଆଗରୁ ସେମାନଙ୍କୁ ସାମାଜିକ ବାସନ୍ଦ କରାହେଉଥିଲା। ବର୍ତ୍ତମାନ ସେମାନଙ୍କୁ ସାମାଜିକ ସ୍ତରରେ ଗ୍ରହଣ କରାଯାଉଛି।
ସେମାନଙ୍କର ସଂଖ୍ୟା ଦେଶରେ ପ୍ରାୟ ଚାରିଲକ୍ଷ ହେବ ବୋଲି ସେମାନେ ଦାବି କରୁଥିବା ବେଳେ, ୨୦୧୧ ଜନଗଣନାରେ ସେମାନଙ୍କ ସଂଖ୍ୟା ମାତ୍ର ୨୯୬ ବୋଲି ଦର୍ଶାଯାଇଛି। ସ୍ବତନ୍ତ୍ର ଗୋଷ୍ଠୀଗତ ଗଣନା ହେଲେ ପ୍ରକୃତ ସଂଖ୍ୟା ଜଣାଯିବ। ଆଙ୍ଗ୍ଲୋଇଣ୍ଡିଆନମାନେ ବର୍ତ୍ତମାନ ଭାରତକୁ ଆପଣେଇ ନେଲେଣି। ନିଜକୁ ଦେଶରେ ସୁରକ୍ଷିତ ମନେକରୁଛନ୍ତି ଓ ଆଉ ବିଦେଶକୁ ପିତୃଭୂମି ମନେକରି ଯିବାକୁ ଉଦ୍ୟମ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ୨୦୧୩ରେ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲା। ମନ୍ତ୍ରଣାଳୟ ମତରେ ଏହି ଗୋଷ୍ଠୀ ସହରାଞ୍ଚଳରେ ବାସ କରେ, ଶିକ୍ଷା ଦିଗରେ ଅନଗ୍ରସର ଓ ଆତ୍ମପରିଚୟ ବିଷୟରେ ସନ୍ଦିହାନ।
ଯେଉଁ ଆଙ୍ଗ୍ଲୋଇଣ୍ଡିଆନମାନେ ଭାରତରେ ଜନ୍ମ ହୋଇଥିଲେ, ଭାରତରେ କର୍ମଜୀବନ ବିତାଇଥିଲେ ଓ ପରେ ଦେଶାନ୍ତରୀ ହେଲେ, ସେମାନେ ଆଉ ଅଳ୍ପ କିଛି ବର୍ଷ ପରେ ଧରାପୃଷ୍ଠରେ ନ ଥିବେ। ଭାରତରୁ ଯେଉଁମାନେ ଚାଲିଯାଇ ପାରିବେ, ସେମାନେ ଚାଲିଯିବେ ଓ ଯିଏ ରହିଯିବେ, ସେମାନେ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ସଙ୍ଗେ କାଳକ୍ରମେ ମିଶିଯିବେ। ଇଂରେଜ ରକ୍ତର ଧାରା କ୍ଷୀଣରୁ କ୍ଷୀଣତର ହେବ ଓ ଭାରତୀୟ ରକ୍ତର ଧାରା ସେମାନଙ୍କ ଧମନୀରେ ପ୍ରବାହିତ ହେବ। ଆଙ୍ଗ୍ଲୋଇଣ୍ଡିଆନ ନାମ କିଛି ବର୍ଷ ପରେ ବିସ୍ମୃତି ଗର୍ଭରେ ଲୀନ ହେବ। ଇଷ୍ଟଇଣ୍ଡିଆ କମ୍ପାନୀ ସମୟର ବିଭିନ୍ନ ଇଂଲିଶ ଲୋକଙ୍କର କବର ଭଳି ଦେଶାନ୍ତରୀ ହୋଇଥିବା ବ୍ୟକ୍ତିମାନଙ୍କର ପିତୃପୁରୁଷଙ୍କ କବର ମଧ୍ୟ ଅବହେଳିତ ହୋଇ ସ୍ମୃତିପଟରୁ ବିଲୀନ ହେବ।
ମୋ- ୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri