ଭାଜପା ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଉଦ୍ୟମ: ହଡ଼ବଡେଇଲା ପୋଲିସ, ଅଟକାଇବାବେଳେ ରାସ୍ତାରେ ଶୋଇଲେ ମହିଳା କର୍ମୀ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି ଭାଜପା ମହିଳା ମୋର୍ଚ୍ଚା। ମଙ୍ଗଳବାର ଉଭୟ କଂଗ୍ରେସ ଓ ଭାଜପା ପକ୍ଷରୁ ପୁରୀ ପୀଡ଼ିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଏବଂ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସମାନଭାବେ ବୁଧବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି। ବିଭିନ୍ନ ଦିଗରୁ କର୍ମୀମାନେ ବାହାରି ଆସିବାରୁ ପୋଲିସ ହଡ଼ବଡେଇ ଯାଇଥିଲା। ଅଟକାଇବାକୁ ଚେଷ୍ଟା କରିବା ସମୟରେ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ କିଛି ମହିଳା କର୍ମୀ ରାସ୍ତାରେ ଶୋଇପଡ଼ିଥିବା ଦେଖିବାକୁ ମିଳିଛି।

ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପୋଲିସ ଅଟକାଇଥିଲା। ପରେ ପଳାସପଲ୍ଲୀ ଆଡୁ କିଛି ମହିଳା ମୋର୍ଚ୍ଚା କର୍ମୀ ମାଡ଼ି ଆସିଲେ। ସେହିଭଳି ଗଳିରାସ୍ତାରେ ପଶି ଆଉ କିଛି କର୍ମୀ ଟ୍ରାଫିକ୍‌ ପୋଷ୍ଟରେ ପହଞ୍ଚିଥିଲେ। ଏହାଦେଖି ପୋଲିସ ହଡବଡେଇ ଯାଇଥିଲା। କର୍ମୀମାନଙ୍କୁ ରୋକିବାକୁ ଚେଷ୍ଟା କରାଯାଇଥିବା ବେଳେ ମହିଳାମାନେ ରାସ୍ତାରେ ଶୋଇ ପ୍ରତିବାଦ କରିଛନ୍ତି।