ଭାଇ ଦୁଃଖରେ ଭାଇ

ତୁଳସୀଦାସ ମିଶ୍ର
ଠିକଣା ସମୟରେ ସ୍ବିଡେନର ଟେଲିକମ୍‌ ଉପକରଣ ନିର୍ମାତା ଏରିକ୍‌ସନଙ୍କୁ ୪୬୨ କୋଟି ବାକିଆ ଟଙ୍କା ପରିଶୋଧ କରି ଅଗ୍ରଜ ମୁକେଶ ଅମ୍ବାନୀ ଋଣଗ୍ରସ୍ତ ଅନୁଜ ଅନିଲ ଅମ୍ବାନୀଙ୍କୁ ଆସନ୍ନ ଜେଲଦଣ୍ଡରୁ ତ୍ରାହି ଦେଇଛନ୍ତି। ସଫଳ ବ୍ୟବସାୟ ଏବଂ ଅମାପ ସମ୍ପତ୍ତି ପାଇଁ ବିଶ୍ୱର ଦଶଜଣ ଧନାଢ଼୍ୟଙ୍କ ମଧ୍ୟରେ ସ୍ଥାନ ପାଇ ନିଜକୁ ଏବଂ ଦେଶକୁ ଗୌରବାନ୍ବିତ କରିଥିତ୍ବା ମୁକେଶ କେମିତି ଭଲା ଅନିଲଙ୍କୁ ଋଣଗ୍ରସ୍ତଙ୍କ ତାଲିକାରେ ସାମିଲ ହେବାକୁ ଦିଅନ୍ତେ? ବରଂ ସେ ଭାବିଥିବେ- ଯଦିବା ମୋ ଭାଇ ଋଣୀ ହେବ ମୋ ପାଖରେ ହେଉ, ଆଉ କାହା ପାଖରେ ନୁହେଁ। ଅନିଲ ଅମ୍ବାନୀ ମଧ୍ୟ କରୁଣାରେ ଆର୍ଦ୍ର ଭାଇ ମୁକେଶ ଓ ଭାଉଜ ନୀତାଙ୍କ ପ୍ରତି ମୁକ୍ତକଣ୍ଠରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅସମୟରେ ସେମାନଙ୍କର ଏ ଅକୁଣ୍ଠ ସାହାଯ୍ୟ ଅନିଲଙ୍କର ଚିରକାଳ ମନେ ରହିବ।
ପ୍ରଖ୍ୟାତ ବ୍ୟବସାୟୀ ଧୀରୁଭାଇ ଅମ୍ବାନୀଙ୍କ ଅନ୍ତେ କେବେ ଦିନେ ଏ ଦୁଇଭାଇଙ୍କ ମଧ୍ୟରେ ଘମାଘୋଟ କଳି ଲାଗିଥିଲା। ବିବାଦ ସମାଧାନର ଅନ୍ୟବାଟ ନ ପାଇ ମା’ କୋକିଳା ବେନ୍‌ ଶେଷରେ ସମସ୍ତ ପୈତୃକ ସମ୍ପତ୍ତିକୁ ଦୁଇଭାଗ କରିଦେଲେ। ଦୁଇଭାଇଙ୍କର ବସା, ବେପାର ଅଲଗା ହୋଇଗଲା। ଯେତେ ଭାଇ ସେତେ ଘର- କହିଲା ଲୋକ ଠିକ୍‌ କହନ୍ତି। କେବଳ ଦେଶ ନୁହେଁ, ଆନ୍ତର୍ଜାତିକ ବଜାରରେ ମଧ୍ୟ ଏ ପାରିବାରିକ ବିବାଦ ଏବଂ ବିଭାଜନ ଚହଳ ସୃଷ୍ଟି କରିଥିଲା।
ତେବେ ମା’ ଶିଶୁକୁ ଜନ୍ମ ସିନା ଦିଏ କିନ୍ତୁ କର୍ମ ଦେଇ ନ ଥାଏ। ସେଥିପାଇଁ ତ ଗୋଟେ ବୃନ୍ତର ଦୁଇଟି ଫୁଲର ଦୁଇଟି ଅଲଗା ଗନ୍ତବ୍ୟ ହୋଇଥାଏ। ଗୋଟେ ଫୁଲ ଶିବଙ୍କ ଚୂଡ଼ାରେ ଶୋଭାପାଏ। ଆଉ ଗୋଟେ ଫୁଲ ଗଣିକାର ଗଭାରେ। ଗୋଟେ ଶୈଳ ଶିଖରରୁ ଦୁଇଟି ସ୍ରୋତସ୍ବିନୀ ନିମ୍ନଗାମୀ ହୁଅନ୍ତି ସତ, କିନ୍ତୁ ଗୋଟେ ନଦୀ ସାଗରରେ ମିଶେ ତ ଆଉ ଗୋଟେ ମରୁଭୂମିରେ ହଜେ। ମୁକେଶ ଏବଂ ଅନିଲଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ସେମିତି ଘଟିଛି। ଗୋଟେ ପଟେ ନିଜର ବେପାର ବିସ୍ତାର କରି, ସଫଳତାର ଶିଡ଼ି ଚଢ଼ି ମୁକେଶ ଯେଉଁଠି ବିଶ୍ୱର ତୁଙ୍ଗ ଧନପତିଙ୍କ ମଧ୍ୟରେ ନିଜର ଆସ୍ଥାନ ସୁଦୃଢ଼ କଲେ, ସେଠି ଅନିଲ ବ୍ୟବସାୟରେ ଅସଫଳ ହେଲେ, କ୍ଷତି ସହିଲେ, ନିବେଶକଙ୍କ ଋଣ ଶୁଝି ନ ପାରି ଜେଲ ପଥର ଯାତ୍ରୀ ହେଲେ।
କିନ୍ତୁ ଯେମିତି ଲାଠି ପାହାରରେ ପାଣି ଦି’ଭାଗ ହେଇଯାଏନା, ସେମିତି ବାହ୍ୟ ପ୍ରଭାବରେ ରକ୍ତର ସମ୍ପର୍କ ସାମୟିକ ଭାବେ କିଛିଟା ହୁଗୁଳା ହୁଏ ତ ହୋଇଯାଏ, କିନ୍ତୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଏନା। ସେଥିପାଇଁ ମୁକେଶ ହୁଏତ ଭାଇର ବିପତ୍ତିକୁ ଅଣଦେଖା କରିପାରି ନ ଥିବେ। ଭ୍ରାତୃପ୍ରେମର ଉଚ୍ଛ୍ବାସ ହୃଦୟକୁ ଆଲୋଡ଼ିତ କରିଥିବ। ସେ ହୁଏତ ନିଜକୁ ନିଜେ ପ୍ରଶ୍ନ କରିଥିବେ-ମୋ ଭାଗରେ ନଭଶ୍ଚୁମ୍ବୀ ଭବ୍ୟ ଏଣ୍ଟିଲିଆରେ ନିବାସ, ଅଥଚ ମୋ ଭାଇର ଭାଗ୍ୟରେ କାରାବାସ। ଏ କେମିତି ସମ୍ଭବ? ବାସ୍‌, ତା’ପରେ ତାଙ୍କ ସମ୍ପତ୍ତିର ସାଗରରୁ ଆଞ୍ଜୁଳାଏ ପାଣି ଫିଙ୍ଗି ମନ୍ତ୍ର କଲା ପରି ଅନିଲଙ୍କ ଆପଦକୁ ଉଭେଇ ଦେଇଥିବେ।
ତେବେ ଆମେ ଯଦି ଆମ ଚାରିପଟେ ଦୃଷ୍ଟି ପକେଇବା, କି ଗ୍ରାମ, କି ନଗର, ସବୁଠି ଆମକୁ ଏମିତି ଅନେକ ଉଦାର ଭ୍ରାତା ମିଳିଯିବେ। ସେମାନେ ମୁକେଶଙ୍କ ଭଳି ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ନ ପାରନ୍ତି। କିନ୍ତୁ ସେମାନଙ୍କ ସାହାଯ୍ୟ, ସହାନୁଭୂତିରେ ଆମକୁ ମୁକେଶଙ୍କ ଭ୍ରାତୃପ୍ରେମ ଏବଂ ସ୍ନେହର ଉଷ୍ମତା ଅନୁଭୂତ ହେବ। ଏମିତି ଅନେକ ଭାଇଙ୍କୁ ପାଠକେ ଜାଣିଥିବେ, ଯେଉଁମାନେ ଆଉ ଏକ ଭାଇର ବିପତ୍ତିରେ ସାହାଯ୍ୟ କରିବାକୁ ଧାଇଁ ଆସନ୍ତି। ଆଉ କିଛି ଭାଇଙ୍କ ବିଷୟରେ ପାଠକେ ହୁଏତ ଶୁଣିଥିବେ, ଯିଏ ଅଗ୍ରଜ କି ଅନୁଜଙ୍କ ଅକାଳ ନିଧନରେ ତାଙ୍କ ପୂରା ପରିବାରର ଦାୟିତ୍ୱ ବିନା ଦ୍ୱିଧାରେ ମୁଣ୍ଡେଇ ନେଇଥିବେ। ଭାଉଜଙ୍କୁ ଆଶ୍ରୟ ଦେବାରେ କୁଣ୍ଠା କରି ନ ଥିବେ, ପୁତୁରା-ଝିଆରୀଙ୍କୁ ପିତୃସ୍ନେହରୁ ବଞ୍ଚିତ କରି ନ ଥିବେ କି ତାଙ୍କ ଭବିଷ୍ୟତ ଗଢ଼ିବାରେ ହେଳା କରି ନ ଥିବେ।
ଆମେ ଯଦି ପୁରାଣ, କାହାଣୀ, କିମ୍ବଦନ୍ତୀର ପୃଷ୍ଠା ଓଲଟାଇବା, ଆମକୁ ଭ୍ରାତୃପ୍ରେମର ସ୍ନେହ-ସୌହାର୍ଦ୍ଦ୍ୟର ଅଗଣିତ ଉଦାହରଣ ମିଳିବ। ପୁତ୍ରମୋହରେ ଅନ୍ଧ କୈକେୟୀ ଚକ୍ରାନ୍ତ କରି ବନବାସରେ ପଠେଇ ହୁଏତ ରାମଚନ୍ଦ୍ରଙ୍କୁ ସେତିକି ଦୁଃଖ ଦେଇ ନ ଥିଲେ, ଯେତିକି ସୁଖ ତାଙ୍କୁ ବିମାତାଙ୍କ ପୁତ୍ର ଭରତର ଭ୍ରାତୃପ୍ରେମରୁ ମିଳିଥିଲା। ଭରତ ମଧ୍ୟ ମାତାଙ୍କ ମହତ୍ତ୍ୱାକାଂକ୍ଷାକୁ ତାଚ୍ଛଲ୍ୟ କରି ରାମଙ୍କ ପକ୍ଷ ନେଇଥିଲେ। ସେଥିପାଇଁ ପରବର୍ତ୍ତୀ ସମୟରେ ହନୁମାନଙ୍କ ଅନୁରକ୍ତିରେ ପ୍ରୀତ ହୋଇ ରାମଚନ୍ଦ୍ର ତାଙ୍କୁ ଭରତଙ୍କ ସଙ୍ଗେ ତୁଳନା କରିଛନ୍ତି-”ରଘୁପତି କୀନ୍‌ହୀ ବହୁତ ବଡ଼ାଇ। ତୁମ ମମ ପ୍ରିୟ ଭରତହି ସମ ଭାଇ।ା“ ସେଇ ରାମାୟଣରେ ଗୋଟେ ମା’ର ସନ୍ତାନ ହେଲେ ବି ବାଳି-ସୁଗ୍ରୀବଙ୍କ ଭାଗ୍ୟରେ କିନ୍ତୁ ଭ୍ରାତୃ ସମ୍ପର୍କରେ ସୁଖ ଲେଖା ନ ଥିଲା। ଗୋଟେ ଦୃଷ୍ଟିରୁ ବିଭୀଷଣଙ୍କୁ ରାମଙ୍କର ପରମ ଭକ୍ତ ଆଖ୍ୟା ଦିଆଯାଏ। କିନ୍ତୁ ସେ ବଡ଼ଭାଇ ରାବଣର ମୃତ୍ୟୁଭେଦ କହିବାରୁ ରାମଚନ୍ଦ୍ରଙ୍କ ହାତରେ ତାଙ୍କର ନିଧନ ହୋଇଥିଲା।
ମହାଭାରତ ମଧ୍ୟ ଭ୍ରାତୃବିବାଦ ଏବଂ ତଜ୍ଜନିତ ବୃଥା ରକ୍ତପାତର ଏକ କରୁଣ କାବ୍ୟ। ଠିକ୍‌ ସେମିତି ଇତିହାସରେ ଅଶୋକ, ଔରଙ୍ଗଜେବ୍‌ଙ୍କ ଭଳି ଅନେକ ଚରିତ୍ର ବିଦ୍ୟମାନ, ଯେଉଁମାନେ ଭାଇମାନଙ୍କ ଲହୁଲୁହରେ ରାଜସିଂହାସନକୁ ଧୋଇ ନିଜକୁ ଅଭିଷିକ୍ତ କରେଇଥିଲେ। ଦେଖିବାକୁ ଗଲେ ଭାଇକୁ ଭଗାରି ହେବାକୁ ସମୟ ଲାଗେନି। ଆଉ ସବୁବେଳେ ମାତାପିତାଙ୍କ ଦେହାନ୍ତ ପରେ ନୁହେଁ, ଅନେକ ସମୟରେ ସେମାନଙ୍କ ଜୀବିତାବସ୍ଥାରେ ମଧ୍ୟ ଭାଇମାନେ କଳି ଲାଗି ସମ୍ପତ୍ତି ଭାଗ କରିନେଇଛନ୍ତି। ଖାଲି ସେତିକି ନୁହେଁ, ବାପା-ମା’ଙ୍କୁ ବି ଦି’ଭାଗରେ ବାଣ୍ଟି ସେମାନଙ୍କ ଅତିକ୍ରାନ୍ତ ବୟସର ଦାମ୍ପତ୍ୟ ସୁଖ, ସାନ୍ତ୍ୱନାକୁ ବିଧ୍ୱସ୍ତ କରିଛନ୍ତି। ଅମିତାଭ-ହେମାଙ୍କ ‘ବାଗ୍‌ବାନ୍‌’ ଏମିତି ଏକ ତିକ୍ତ ବାସ୍ତବତାର ଚଳଚ୍ଚିତ୍ର ରୂପାନ୍ତର। କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ରେ ବିବାଦ ଏବଂ ବିଚ୍ଛେଦ ପରେ ବରଜୁ ଏବଂ ଛକଡିଙ୍କର ପୁନର୍ମିଳନ ବି ଅପଡ଼ ପରେ ଅଲଗା ହେଇଯାଇଥିବା ଭାଇମାନଙ୍କୁ ଏମିତି କିଛି ସକାରାତ୍ମକ ସନ୍ଦେଶ ଦିଏ।
ଭୋଗବାଦ ଓ ବସ୍ତୁବାଦ ପ୍ରଭାବରେ ଭାରତୀୟ ବୃହତ୍‌ ପରିବାର ଆଜି ବିଲୁପ୍ତପ୍ରାୟ। ରକ୍ତର ସମ୍ପର୍କ କେଉଁଠି ହୁଗୁଳା ତ କେଉଁଠି ଛିନ୍ନ। ତେବେ ଏ ସଙ୍କଟ ଦୀର୍ଘସ୍ଥାୟୀ ହୋଇପାରେନା। ଆମେ ଭାରତୀୟମାନେ ଯେହେତୁ ସ୍ବଭାବତଃ ଭାବପ୍ରବଣ ଏବଂ ସ୍ନେହରଙ୍କୁଣା, ତେଣୁ ପାରିବାରିକ ସମ୍ପର୍କ ପ୍ରତି ଆମର ଅନୁରକ୍ତି ଏବଂ ପ୍ରତିବଦ୍ଧତା ସର୍ବଦା ରହିବ।
ମୋ-୯୮୬୧୫୫୨୭୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri