Categories: ଖେଳ

ବୟକଟ୍‌, ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ ଉପାଧି

ଲଣ୍ଡନ, ୧୦।୯ (ଏଏଫ୍‌ପି)- କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ୍‌ ଖେଳାଳି ଜେଫ୍ରି ବୟକଟ୍‌ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଉଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। କ୍ରିକେଟ୍‌କୁ ଉଲ୍ଲେଖନୀୟ ଅବଦାନ ଲାଗି ୟୁନାଇଟେଡ୍‌ କିଙ୍ଗ୍‌ଡମର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ଉଭୟ ବୟକଟ୍‌ ଓ ଷ୍ଟ୍ରସ୍‌ଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ୭୮ ବର୍ଷୀୟ ବୟକଟ୍‌ ୧୯୬୪ରୁ ୧୯୮୨ ମଧ୍ୟରେ ୧୦୮ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରି ୪୭.୭୨ ଆଭରେଜରେ ୮,୧୧୪ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବୟକଟ୍‌ଙ୍କ ନାମରେ ୧୫୧ ଶତକ ସହ ୪୮ ହଜାରରୁ ଊର୍ଦ୍ଧ୍ୱ ରନ୍‌ ରହିଛି। ୧୯୭୮ରେ ମଧ୍ୟ ବୟକଟ୍‌ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଅବସର ପରେ ସେ ବୟକଟ୍‌ କ୍ରିକେଟ୍‌ ଭାଷ୍ୟକାର ଭାବେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ସେହିଭଳି ୪୨ ବର୍ଷୀୟ ଷ୍ଟ୍ରସ୍‌ ୨୦୦୪ରୁ ୨୦୧୨ ମଧ୍ୟରେ ୫୦ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇ ଦୁଇଥର (୨୦୦୯ ଓ ୨୦୧୦-୧୧)ଆଶେସ ସିରିଜ ବିଜୟୀ କରାଇଛନ୍ତି। ଷ୍ଟ୍ରସଙ୍କ ନେତୃତ୍ୱରେ ଇଂଲଣ୍ଡ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ଏହି ବାମହାତୀ ଓପନର୍‌ ୧୦୦ ଟେଷ୍ଟ ମ୍ୟାଚ୍‌ରୁ ୨୧ ଶତକ ସହାୟତାରେ ୭,୦୩୭ ରନ୍‌ ସଂଗ୍ରହ କରିଛନ୍ତି। ଦକ୍ଷିଣ ଆଫ୍ରିକା ଜନ୍ମିତ ଷ୍ଟ୍ରସ୍‌ ଅବସର ପରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ କ୍ୟାନସରରେ ସ୍ତ୍ରୀଙ୍କ ବିୟୋଗ ପରେ ୨୦୧୮ରେ ସେ ଏଥିରୁ ଇସ୍ତଫା ଦେଇଥିଲେ।

Share