Categories: ଖେଳ

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ ମାଇକେଲ ଜେନସେନ, ଥୋମାସ୍‌ ହୋଭାଗାର୍ଡ ଏବଂ ମାଇକେଲ ଲାମ୍ପଙ୍କ ସହିତ ପାର୍ଟନର ହୋଇ ଖେଳିଛନ୍ତିି। କିନ୍ତୁ କାର୍ଷ୍ଟେନ ମୋଗେନ୍‌ସେନଙ୍କ ସହିତ ସେ ବହୁ ଦିନ ଧରି ପାର୍ଟନର ହୋଇ ଖେଳିଛନ୍ତି ଏବଂ ସଫଳ ମଧ୍ୟ ରହିଛନ୍ତି। ୩୯ ବର୍ଷୀୟ ମାଥିଆସ କହିଛନ୍ତି ମୋ କ୍ୟାରିୟର ଭିତରେ ଶ୍ରେଷ୍ଠ ବ୍ୟାଡ୍‌ମିଣ୍ଟନ ଖେଳାଳି ହେବା ପାଇଁ ସବୁବେଳେ ଚେଷ୍ଟା କରିଆସିଥିଲା। ବର୍ତ୍ତମାନ ମୋର ପ୍ରଦର୍ଶନ ଆଶାନୁରୂପ ହେଉ ନ ଥିବାରୁ ମୁଁ ଅବସର ନେବାକୁ ଉଚିତ ମଣିଲି। ସେ କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସହିତ ମୋ ଅବସର ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ। ଏଲିଟ୍‌ ଲେଭେଲରେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ମାଥିଆସ ସବୁଠାରୁ ବୟୋଜ୍ୟେଷ୍ଠ। ୧୯୯୮ରେ ମୋଗେନ୍‌ସେନଙ୍କ ସହିତ ସେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଦୁହିଁଙ୍କର ପ୍ରଥମ ଟୁର୍ନାମେଣ୍ଟ ୟୁଏସ ଓପନ୍‌ ୨୦୦୪ରେ ସେମାନେ ଫାଇନାଲରେ ପ୍ରବେଶ କରିଥିଲେ। ଏହି ଯୋଡ଼ି ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ୨୦୧୩ରେ ରୌପ୍ୟ ସହ ଅନେକ ଟୁର୍ନାମେଣ୍ଟରେ ସଫଳତା ହାସଲ କରିଛି। ୨୦୧୬ରେ ଥୋମାସ କପ୍‌ ଜିତିଥିବା ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଏହିଯୋଡ଼ି ସୁପର ସିରିଜ ଇଭେଣ୍ଟଗୁଡ଼ିକରେ ଅନେକଥର ପୋଡିୟମ ଫିନିଶ କରିଛନ୍ତି। ଏହାଛଡ଼ା ସେମାନେ ଦୁଇଥର ସମ୍ମାନଜନକ ଅଲ୍‌ ଇଂଲଣ୍ଡ (୨୦୧୧, ୨୦୧୫) ଟାଇଟଲ ହାସଲ କରିଛନ୍ତି। କ୍ରମାଗତ ୩ ଥର ଓ୍ବାଲର୍‌ଡ ସିରିଜ ଫାଇନାଲ୍ସ (୨୦୧୦, ୨୦୧୧, ୨୦୧୨) ଟାଇଟଲ ହାସଲ କରିଛନ୍ତି। ୨୦୧୯ରେ ଏହି ପାର୍ଟନରଶିପ୍‌ ଭାଙ୍ଗିଯାଇଥିଲା। ମାଥିଆସଙ୍କୁ ମ୍ୟାଡ୍ସ କୋନାର୍ଡ ପିଟରସନଙ୍କ ସହିତ ପାର୍ଟନର ହୋଇ ଖେଳିଥିଲେ।

Share