Categories: ଖେଳ

‘ବ୍ୟାଟ୍‌ ଫ୍ଲିପ୍‌’ରେ ସାହାଯ୍ୟ କଲେ ବ୍ରେନ କ୍ୟାନସର ପୀଡ଼ିତ ବାଳକ

ବ୍ରିସବେନ, ୯।୧- ଅଷ୍ଟ୍ରେଲିଆ ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଗୁରୁବାର ବ୍ରିସବେନ ହିଟ୍‌ ଓ ହୋବାର୍ଟ ହରିକେନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଜଣେ ବ୍ରେନ କ୍ୟାନସରରେ ପୀଡ଼ିତ ବାଳକ ‘ବ୍ୟାଟ୍‌ ଫ୍ଲିପ୍‌’ରେ ସହାୟତା କରିଥିଲେ। ମ୍ୟାଚ୍‌ ପୂର୍ବରୁ ଟସ୍‌ ପାଇଁ ‘ବ୍ୟାଟ୍‌ ଫ୍ଲିଫ୍‌’ ସମୟରେ ୫ ବର୍ଷୀୟ ବାଳକ ସ୍ଲଟର ଓ୍ବାକର ବ୍ୟାଟ୍‌ ଧରି ଦୁଇ ଅଧିନାୟକଙ୍କ ନିକଟକୁ ଆସିଥିଲେ। ଏହାପରେ ଟସ୍‌ ପକାଇବା ପାଇଁ ସେ ବ୍ୟାଟ୍‌ ଦେଇଥିଲେ। ସ୍ଲଟର ମାରାତ୍ମକ ବ୍ରେନ୍‌ କ୍ୟାନସରରେ ପୀଡ଼ିତ ଥିଲେ ମଧ୍ୟ ସେ ବିବିଏଲ୍‌ର ଜଣେ ବଡ଼ ପ୍ରଶଂସକ। ତେଣୁ ତାଙ୍କୁ ଏହି ମ୍ୟାଚ୍‌ରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ପ୍ରକାଶଯୋଗ୍ୟ, କ୍ରିକେଟ୍‌ ମ୍ୟାଚ୍‌ ପୂର୍ବରୁ ଚିରାଚିତ ଭାବେ ପ୍ରଚଳିତ ‘କଏନ୍‌ ଟସ୍‌’ କରାଯାଇ କେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ନିଷ୍ପତ୍ତି ନିଆଯାଇଥାଏ। କିନ୍ତୁ ବିବିଏଲ୍‌ରେ ‘କଏନ୍‌ ଟସ୍‌’ ବଦଳରେ ‘ବ୍ୟାଟ୍‌ ଫ୍ଲିପ୍‌’ ପଦ୍ଧତି ଆପଣାଯାଏ। କଏନ୍‌ ଟସ୍‌ ସମୟରେ ‘ହେଡ୍ସ କିମ୍ବା ଟେଲ୍ସ’ ଡକାଯାଇଥାଏ। କିନ୍ତୁ ‘ବ୍ୟାଟ୍‌ ଫ୍ଲିପ୍‌’ ସମୟରେ ବ୍ୟାଟ୍‌କୁ ଉପରକୁ ଫିଙ୍ଗା ଯାଇଥାଏ ଏବଂ ‘ହିଲ୍ସ କିମ୍ବା ରୁଫ୍ସ’ ଓ ‘ଫ୍ଲାଟ୍‌’ ଡାକିଥାନ୍ତି। ଭ୍ରମଣକାରୀ ଦଳର ଅଧିନାୟକଙ୍କୁ କେବଳ ଡାକିବା ସୁଯୋଗ ମିଳିଥାଏ। କିନ୍ତୁ ଉପରକୁ ଫିଙ୍ଗିବା ସମୟରେ ବ୍ୟାଟ୍‌ ଗୋଟିଏ ଥର ସମ୍ପୂର୍ଣ୍ଣ ଭାବେ ଘୂରିବା ନିହାତି ଆବଶ୍ୟକ ହୋଇଥାଏ।

Share