Categories: ଖେଳ

ବ୍ଲିଜ୍‌ ପ୍ରତିଯୋଗିତା: ହମ୍ପିଙ୍କୁ ଦ୍ୱାଦଶ ସ୍ଥାନ

ମସ୍କୋ, ୩୧ା୧୨ (ପି.ଟି.)-ଗତ ତିନୋଟି ରାଉଣ୍ଡରେ ହ୍ୟାଟ୍ରିକ୍‌ ପରାଜୟ ଦ୍ୱାରା ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଏଠାରେ ଚାଲିଥିବା ମହିଳା ଓ୍ବାଲର୍‌ଡ ରାପିଡ୍‌ ଏବଂ ବ୍ଲିଜ୍‌ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଟାଇଟଲ ଜିତିବାରେ ସଫଳ ହୋଇପାରି ନାହାନ୍ତି। ଦୁଇ ଦିନିଆ ବ୍ଲିଜ୍‌ ପ୍ରତିଯୋଗିତାରେ ତାଙ୍କୁ ୧୨ତମ ସ୍ଥାନରେ ସନ୍ତୁ ହେବାକୁ ପଡ଼ିଛି। ରୁଷିଆର କାଟରିନା ଲାଗ୍ନୋ ଏବଂ ନରଓ୍ବେର ମାଗ୍ନସ କାର୍ଲସେନ ଯଥାକ୍ରମେ ମହିଳା ଓ ପୁରୁଷ ବ୍ଲିଜ୍‌ ପ୍ରତିଯୋଗିତା ଟାଇଟଲ ଜିତିଛନ୍ତି। ଶନିବାର ଚାଇନାର ଲି ଟିଙ୍ଗଜୀଙ୍କ ବିପକ୍ଷ ଆର୍ମାଭେଡନ ଗେମ୍‌ ଡ୍ର’ ରଖି ହମ୍ପି ବିଶ୍ୱ ମହିଳା ରାପିଡ ଚେସ୍‌ ଚାମ୍ପିୟନ ହୋଇଥିଲେ। ବ୍ଲିଜ ପ୍ରତିଯୋଗିତାରର ପ୍ରଥମ ଦିବସରେ ତାଙ୍କର ପ୍ରଦର୍ଶନ ଉତ୍ସାହଜନକ ଥିଲା। ୯ ରାଉଣ୍ଡ ଖେଳ ପରେ ସେ ୭ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ୩୨ ବର୍ଷୀୟ ଭାରତୀୟ ଖେଳାଳି ତାଙ୍କ ଭଲ ପ୍ରଦର୍ଶନ ବଜାୟ ରଖିବାରେ ବିଫଳ ହୋଇଥିଲେ। ୧୭ଟି ଗେମ୍‌ରୁ ସେ ୧୦.୫ ପଏଣ୍ଟ ଅର୍ଜନ କରି ଟୁର୍ନାମେଣ୍ଟରେ ତାଙ୍କ ଅଭିଯାନ ଶେଷ କରିଥିଲେ।

Share