Categories: ଖେଳ

ବ୍ରାଜିଲକୁ କୋପା ଆମେରିକା ଟ୍ରଫି

ରିଓ ଡି’ଜାନିରୋ,୮।୭- ଆୟୋଜକ ବ୍ରାଜିଲ ଚଳିତ କୋପା ଆମେରିକା ଟୁର୍ନାମେଣ୍ଟ ଟ୍ରଫି ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ୧୦ଜଣିଆ ବ୍ରାଜିଲ ଦଳ ୩-୧ ଗୋଲରେ ପେରୁକୁ ହରାଇ ଏହି ସଫଳତା ପାଇଛି। ବିଜୟୀ ଦଳ ଲାଗି ଏଭର୍ଟନ ସୋଆରେସ, ଗାବ୍ରିଏଲ ଜିସସ୍‌ ଓ ରିଚାଲସନ ଗୋଲ ଦେଇଥିଲେ। ପେରୁ ପକ୍ଷରୁ ପାଉଲୋ ଗୁଏରୋ ଏକମାତ୍ର ଗୋଲ ପରିଶୋଧ କରିଥିଲେ। ବିଜୟ ସହ ୨୦୦୭ ପରେ ପ୍ରଥମ ଥର ପାଇଁ ବ୍ରାଜିଲ ଏହି ସମ୍ମାନଜନକ ଟାଇଟଲ ହାସଲ କରିଛି।
ମ୍ୟାଚ୍‌ ଆରମ୍ଭରୁ ଦୁଇଦଳ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। ୧୫ତମ ମିନିଟ୍‌ରେ ଏଭର୍ଟନଙ୍କ ଗୋଲ ବଳରେ ଆୟୋଜକ ଦଳ ଖାତା ଖୋଲିଥିଲା। ଜବାବରେ ୪୪ତମ ମିନିଟ୍‌ରେ ପେରୁକୁ ଏକ ପେନାଲ୍ଟି ମିଳିଥିଲା, ଯାହାକୁ ଗୁଏରୋ ଗୋଲରେ ପରିଣତ କରିଥିଲେ। ହେଲେ ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ର ସ୍କୋର ଲାଇନ ସମାନ ହୋଇ ରହି ନ ଥିଲା। ପ୍ରଥାମର୍ଦ୍ଧର ଅତିରିକ୍ତ ମିନିଟ୍‌ରେ ଜିସସ୍‌ (୪୫+୩ତମ) ବ୍ରାଜିଲ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ଜିସସ୍‌ଙ୍କୁ ଧାର୍ଯ୍ୟ ସମୟର ୨୦ ମିନିଟ୍‌ ପୂର୍ବରୁ ରେଡ୍‌ କାର୍ଡ ପ୍ରଦାନ କରାଯାଇଥିଲା। ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର କାନ୍ଦି କାନ୍ଦି ଫିଲ୍ଡିରୁ ବାହାରକୁ ଯାଇଥିଲେ। ଏହାପରେ ୯୦ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟିରୁ ରିଚାଲସନ ସ୍କୋରକରି ବ୍ରାଜିଲ ଦଳର ବିଜୟ ସୁନିଶ୍ଚିତ କରିଥିଲେ।

Share