ବୈଠକ ବେଳେ ବ୍ରହ୍ମଗିରି ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମଗିରି,୭ା୩(ଡି.ଏନ୍‌.ଏ.): ବ୍ରହ୍ମଗିରି ଅତିରିକ୍ତ ତହସିଲଦାରଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଶୁକ୍ରବାର ଏକ ବୈଠକ ଚାଲୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତହସିଲଦାର କିଶୋର କୁମାର ପଣ୍ଡାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତହସିଲଦାର ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରହ୍ମଗିରି ଥାନା ପୋଲିସ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ପଞ୍ଚାୟତରେ ବାତ୍ୟା ‘ଫନୀ’ରେ ଘରଭାଙ୍ଗିଯାଇଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବା ପାଇଁ ତତ୍କାଳୀନ ଜଣେ ରାଜସ୍ବ ନିରୀକ୍ଷକ ଟଙ୍କା ଆଣିଥିଲେ। କିନ୍ତୁ ଏହି ତଦନ୍ତରେ ବ୍ୟତିକ୍ରମ ଥିବାରୁ ଜିଲାପାଳ ଏହାକୁ ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି କ୍ଷତିଗ୍ରସ୍ତମାନେ ଫନୀ ସହାୟତାରୁ ବଞ୍ଚିତ ହୋଇଥିଲେ। ଏ ନେଇ ଜନଅସନ୍ତୋଷ ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ଭାରିମଲ୍ଲଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ତହସିଲଦାର ପଣ୍ଡା, ଅତିରିକ୍ତ ତହସିଲଦାର ଭାରିମଲ୍ଲ ଓ ତହସିଲର ଅନ୍ୟକର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକ ଚାଲୁଥିବା ବେଳେ ହଠାତ୍‌ ଦୁଇଜଣ ଦୁର୍ବୃତ୍ତ ପଶି ତତ୍କାଳୀନ ରାଜସ୍ବ ନିରୀକ୍ଷକଙ୍କୁ ଖୋଜିଥିଲେ। ଏହା ପରେ ଗାଳିଗୁଲଜ କରିବାରୁ ତହସିଲଦାର ପଣ୍ଡା ଏହାକୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ତହସିଲଦାର ବ୍ରହ୍ମଗିରି ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତହସିଲଦାରଙ୍କୁ ଆକ୍ରମଣ ଘଟଣାର ମୋବଇଲ ଫୋନର ଭିଡିଓ ଫୁଟେଜକୁ ଯାଞ୍ଚ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଥାନା ଅଧକାରୀ ମନୋଜ ଶତପଥୀ କହିଛନ୍ତି।