ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ପ୍ରକାଶ ପାଇଛି। ଏଡିଜେ ବାମାଶଙ୍କର ମିଶ୍ର ଘଟଣାର ଅଭିଯୁକ୍ତା ରାଇମୁନି ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ୩ ମାସ ଜେଲ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଅଗଷ୍ଟ ୧୯ରେ କଣ୍ଟାପାଳ ଗ୍ରାମର ସହଚରୀ ମହନ୍ତଙ୍କୁ ବାଇଗଣ ବାଡ଼ିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ରାଇମୁନୀ ମୁଣ୍ଡା ତାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତାଙ୍କ ପୁଅ ଫକୀର ମହନ୍ତଙ୍କ ଅଭିଯୋଗକ୍ରମେ କେସ ନଂ. ୪୧/୧୭ ଏବଂ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତାଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ କେସ ନଂ. ସିଟିଏସ୍‌ ୧୦୫/୧୭ର ବିଚାର କରି ଏଡିଜେ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ।