ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ବିଜେଡି ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଧୁମ୍‌ଧାମ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଲାଗି ଖୋଲା ପଡ଼ିଆରେ ବିଜେଡିର ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ ସଂଗଠନ, ମହିିଳା ସ୍ବୟଂସହାୟକ ସଂସ୍ଥା, କୃଷକ ସଂଗଠନଗୁଡିକୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିସହିତ ଦଳ ବିଭିନ୍ନ ଛାମୁଆ ସଂଗଠନ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।