ବିୟୋଗାତ୍ମକ ଜିଡିପିରେ ଆତ୍ମନିର୍ଭର ଭାରତର ସ୍ବପ୍ନ

ଡ. ଷ୍ଟାଲିନ ମିଶ୍ର

ଆଜି ଭାରତର ଜିଡିପି ସ୍ବାଧୀନତା ପରଠୁ ସର୍ବନିମ୍ନ ସ୍ତରରେ। କରୋନାର କରାଳ ଛାୟାରେ ଦେଶର ଅର୍ଥନୀତି ଆଜି ଧ୍ୱସ୍ତ। ମହାମାରୀକୁ ରୋକିବା ପାଇଁ ଓ ଅର୍ଥନୀତିକୁ ସୁରକ୍ଷିତ ରଖିବା ଲାଗି ସରକାରଙ୍କ ସମସ୍ତ ପ୍ରୟାସ ଆଜି ନିରର୍ଥକ ସିଦ୍ଧ ହୋଇଛି। କରୋନା ବହୁ ବିଳମ୍ବରେ ଭାରତକୁ ପ୍ରବେଶ କରିଥିଲେ ମଧ୍ୟ ସଂକ୍ରମଣରେ ଏହା ବିଶ୍ୱର ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇ ସାରିଲାଣି। କିଛି ଦେଶ ଏହି ମହାମାରୀକୁ ରୋକିବାରେ ସଫଳ ମଧ୍ୟ ହେଲେଣି। କିନ୍ତୁ ଆମ ଦେଶରେ ଏହା ବର୍ତ୍ତମାନ ଶିଖରରେ ଉପନୀତ l ଜଣାନାହିଁ ଆଉ କେତେଦିନ ଲାଗିବ ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ। ସେପଟେ ଚାଇନା ସହିତ ସୀମାବିବାଦ ମଧ୍ୟ ଅର୍ଥନୈତିକ ପରିସ୍ଥିତିକୁ ଅଧିକ ନକାରାତ୍ମକ ସିଦ୍ଧ କରିବାରେ ସାହାଯ୍ୟ ହୋଇଛି। କ୍ରମାଗତ ଭାବେ ତାଲାବନ୍ଦ ଯୋଗୁ ବିିମାନସେବା, ଅନ୍ୟ ପରିବହନ ସେବା, ଶିକ୍ଷାନୁଷ୍ଠାନ, ମନୋରଞ୍ଜନ ଶିଳ୍ପ, ପର୍ଯ୍ୟଟନ ଶିଳ୍ପ ଏବଂ ରେଷ୍ଟୁରାଣ୍ଟ ଇତ୍ୟାଦି ଉପରେ ଲଗାତର ପ୍ରତିବନ୍ଧକ ଉତ୍ପାଦନ କ୍ଷେତ୍ର, ସେବା ଏବଂ ଖୁଚୁରା ବିକ୍ରୟ ଉପରେ କୁପ୍ରଭାବ ପକାଇ ଥିବାବେଳେ ଲକ୍ଷ ଲକ୍ଷ ଲୋକ ନିଜ ନିଜ ଜୀବିକା ହରାଇବାକୁ ବାଧ୍ୟ ହୋଇଛନ୍ତି। ଏହା ସତ୍ୟ ଯେ ମହାମାରୀ ସମ୍ବନ୍ଧୀୟ ତାଲାବନ୍ଧ ଯୋଗୁଁ ହୋଇଥିବା ଆର୍ଥିକକ୍ଷତି ଏସିଆର ଅନ୍ୟ ଦେଶ ତୁଳନାରେ ଭାରତରେ ବହୁତ ଅଧିକ।
ଗତ ମେ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ପାଇଁ ୨୬୬ବିଲିୟନ ଡଲାରର ସହାୟକ ପ୍ୟାକେଜ ଘୋଷଣା କରିଥିଲେ, ଯେଉଁଥିରେ ବ୍ୟାଙ୍କ ଋଣ ପରିଶୋଧ ଉପରେ ରହିତାଦେଶ, ଗରିବଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଗତ ଫେବୃୟାରୀଠାରୁ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଆରବିଆଇ ବେଞ୍ଚମାର୍କରେ ରୋପେରେଟକୁ ମୋଟ ୧୧୫ ଆଧାର ପଏଣ୍ଟ ହ୍ରାସ କରିଥିବା ସତ୍ତ୍ୱେ ମୁଦ୍ରାସ୍ଫୀତି ବୃଦ୍ଧିକୁ ଆଖି ଆଗରେ ରଖି ଚଳିତ ମାସ ମଧ୍ୟରେ ରୋପେରେଟକୁ ସ୍ଥଗିତ ରଖିଛି। ସରକାରଙ୍କ ଏସବୁ ପଦକ୍ଷେପ କିଛି ଲୋକଙ୍କୁ ସହାୟକ ହୋଇଥିଲାବେଳେ ଅଧିକାଂଶ ଲୋକଙ୍କ ପାଇଁ ନିରର୍ଥକ ତଥା ଦେଶର ଅର୍ଥନୀତିକୁ ଅଧିକ କିଛି ସାହାଯ୍ୟ କରିପାରିନାହିଁ। ମୋଟାମୋଟି କହିବାକୁ ଗଲେ ଦେଶ ବର୍ତ୍ତମାନ ଅତ୍ୟନ୍ତ ପ୍ରତିକୂଳ ପରିବେଶ ଦେଇ ଗତିକରୁଛି। ଏପରି ପରିସ୍ଥିତିରେ ଜନତା କେବଳ ସରକାରଙ୍କୁ ଦାୟୀ କରି ଚୁପ ରହିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବରଂ ଆଗକୁ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ମୋର ଅନୁମାନ ହେଉଛି।
ଅର୍ଥଶାସ୍ତ୍ରୀଙ୍କ ଅନୁସାରେ ଗ୍ରାମୀଣ ବଜାରର ଚାହିଦା ବୃଦ୍ଧି ହେଲେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବ। କଥାଟି ବି କିଛି ମାତ୍ରାରେ ଠିକ୍‌। ଜନତାଙ୍କ ବଜାର ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଲେ କିଣାବିକା ଅଧିକ ହେବ, ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧିପାଇବ, ଫଳ ସ୍ବରୂପ ଜିଡିପିରେ ଉତ୍ଥାନ ଘଟିବ। କିନ୍ତୁ ଏହା କ’ଣ ପ୍ରକୃତ ଅର୍ଥନୀତିର ବିକାଶ? ପ୍ରଥମ କଥା ହେଲା ଜିଡିପି ମୋ ପାଇଁ ଏକ ସଂଖ୍ୟା ମାତ୍ର, ଦେଶର ଅର୍ଥନୀତି ବିକାଶକୁ ଜିଡିପି ସହିତ ତୁଳନା କରିବା କେବଳ କାଗଜକଲମରେ ସଂଖ୍ୟା ଲେଖି ଖୁସିହେବା ସହିତ ସମାନ। ବାସ୍ତବରେ ଦେଶ ଯଦି ସ୍ବାବଲମ୍ବୀ ହୋଇପାରିବ, ବଜାର ଉପରେ ଜନତାଙ୍କ ନିର୍ଭରଶୀଳତା କମ୍‌ ହୋଇପାରିବ, ଚାହିଦାଠାରୁ ଉତ୍ପାଦନ ଅଧିକ ହୋଇପାରିବ ତେବେ ଯାଇ ଅର୍ଥନୀତି ସୁଦୃଢ ବୋଲି ଆମେ କହିପାରିବା।
ମୁଁ ଅର୍ଥଶାସ୍ତ୍ରୀ ନୁହେଁ ମୁଁ ଜଣେ ସୂଚନା ପ୍ରଯୁକ୍ତିବିତ୍‌, କିନ୍ତୁ ଅର୍ଥଶାସ୍ତ୍ରରେ ମୋର ସୀମିତ ଜ୍ଞାନର ପରିଭାଷାରେ ଏତିକି କହିପାରିବି ଦେଶ ଆତ୍ମନିର୍ଭରଶୀଳ ହେଲେ ଅର୍ଥନୀତି ଆପେ ଆପେ ସୁଧୁରିଯିବ। ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ। ଆମ ଦେଶ ଭାରତ ଯୁଗେ ଯୁଗେ ଆତ୍ମନିର୍ଭର ଥିଲା, ସମୃଦ୍ଧ ଥିଲା, ଶିକ୍ଷିତ ଥିଲା। ଇତିହାସକୁ ଲକ୍ଷ୍ୟକଲେ ଜାଣିପାରିବା ଯେ ଭାରତ ପ୍ରାଚୀନ କାଳରୁ ନିଜର ଆବଶ୍ୟକତା ନିଜେ ପୂରଣ କରି ଆସିଛି, ଅନ୍ୟ ଦେଶମାନଙ୍କୁ ନାନାଦି ଦ୍ରବ୍ୟ ରପ୍ତାନି କରି ଭାରତୀୟମାନେ ଧନରତ୍ନରେ ଭରପୂର କରି ସୁନାର ଭାରତ ଗଢିବାରେ ସଫଳ ହୋଇଛି, କିନ୍ତୁ ଗତ କିଛି ଶତାବ୍ଦୀ ବାହ୍ୟ ଆକ୍ରମଣକାରୀ ଶାସକମାନଙ୍କ ଦ୍ୱାରା ଶାସିତ ହୋଇ ନିଜର ଅତୀତ ଗୌରବ, କାର୍ଯ୍ୟଦକ୍ଷତା, ଆତ୍ମବିଶ୍ୱାସ ଏତେ ମାତ୍ରାରେ ହରାଇ ବସିଛି ଯେ ସାମାନ୍ୟ ଆବଶ୍ୟକତା ପାଇଁ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ହୋଇପଡିଛି। ଏବେ ବିଦେଶ ତଥା ଜନତା ନିଜେ ନିଜର ଆବଶ୍ୟକତା ପୂରଣ କରିବା ଦିଗରେ ବହୁପଛରେ। ବିଦେଶୀ ସଂସ୍କୃତି, ବିଦେଶୀ ଦ୍ରବ୍ୟ, ବିଦେଶୀ ରୀତିନୀତି ଏବଂ ବିଦେଶୀ ଜୀବନଚର୍ଯ୍ୟା ଆମକୁ ଏତେମାତ୍ରାରେ ପ୍ରଭାବିତ କରିଦେଇଛି ଯେ ଆମେ ଆଉ ଥରେ ଆମ ଆତ୍ମବିଶ୍ୱାସ ଫେରିପାଇବାକୁ ଅସମ୍ଭବ ମନେକରୁଛନ୍ତି। ସରକାର ମଧ୍ୟ କୁଟୀରଶିଳ୍ପଠାରୁ ଆରମ୍ଭ କରି ବଡ଼ବଡ଼ ଉଦ୍ୟୋଗ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନିବେଶକୁ ପ୍ରାଥମିକତା ଦେବା ଦୁର୍ଭାଗ୍ୟର ବିଷୟ। ଯେଉଁଠି ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଉଛି ସେଠି ଆତ୍ମନିର୍ଭର ଭାରତର ପରିକଳ୍ପନା କିପରି ସମ୍ଭବ? କୁଟୀରଶିଳ୍ପ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପାୟନ ଦେଶର ଅର୍ଥନୀତିର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ, କିନ୍ତୁ ଆଜି ସେହି ଶିଳ୍ପଗୁଡିକ କ୍ଷେତ୍ରରେ ମଧ୍ୟ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ବହୁଳ ପ୍ରବେଶ ଓ ନିୟନ୍ତ୍ରଣ ଜନତାଙ୍କୁ ସାମାନ୍ୟ ଜିନିଷ ପାଇଁ ବଜାର ଉପରେ ନିର୍ଭରଶୀଳ କରିଦେଇଛି। ସରକାର ପରିଚାଳନାଗତ ତ୍ରୁଟିକୁ ସୁଧାରିବା ବାହାନାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଗୋଟେ ପରେ ଗୋଟେ ଘରୋଇ ଲାଭଖୋର ସଂସ୍ଥାମାନଙ୍କ ହାତକୁ ଟେକିଦେବାକୁ ଶ୍ରେୟସ୍କର ମନେକରୁଛନ୍ତି।
ଆଉ ଗୋଟେ କଥା ଲକ୍ଷ୍ୟକଲେ ଜାଣିପାରିବେ ଯେତେବେଳେ ଦେଶର ଅର୍ଥନୀତି ନିମ୍ନଗାମୀ ହେଉଛି କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀ ଅଥବା ଉଦ୍ୟୋଗପତିଙ୍କ ଧନବୃଦ୍ଧି ଶିଖରରେ ପହଞ୍ଚିଯାଉଛି। ଏହା କିପରି ସମ୍ଭବ ହେଉଛି? ଏଥିପାଇଁ କ’ଣ ଆମ ସରକାରଙ୍କ ନୀତି ଦାୟୀ ନୁହେଁ? ଯଦି ସରକାର ଦେଶର ସମସ୍ତ କାରବାରର ଠିକା ହାତଗଣତି କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ନ ଦେଇ ଉଦ୍ୟୋଗକ୍ଷେତ୍ର ଅନୁଯାୟୀ ବର୍ଗୀକରଣ କରି ଅଧିକରୁ ଅଧିକ ନୂତନ ଉଦ୍ୟୋଗପତି ସୃଷ୍ଟି କରିବା ପାଇଁ ନୀତି ନିର୍ଦ୍ଧାରଣ କରନ୍ତେ ତା’ହେଲେ ଦେଶରେ ଅର୍ଥନୀତି କ୍ଷେତ୍ରରେ ବି ସାମ୍ୟବାଦ ପ୍ରତିଷ୍ଠା ସମ୍ଭବ ହୋଇପାରନ୍ତା। ଲୁଣରୁ ଉଡ଼ାଜାହାଜ ତିଆରି କରିବା ଯାଏ, ପରିବା ବିକିବାଠାରୁ ସୁନା-ହୀରା ଅଳଙ୍କାର ବିକିବା ପର୍ଯ୍ୟନ୍ତ, ସୂଚନା ପ୍ରଯୁକ୍ତି ସେବାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟିକ ସଂସ୍ଥା ଉପରେ ନିର୍ଭର କରିବା ବା ତାଙ୍କୁ ପ୍ରୋତ୍ସାହନ ଦେବା କ’ଣ ନିହାତି ଜରୁରୀ? ଯେପରି ଗୋଟେ ନୂଆ କମ୍ପାନୀ ଖୋଲିଲା ବେଳେ ଆମକୁ ୨-୩ଟି ମୁଖ୍ୟ ବ୍ୟବସାୟିକ କ୍ଷେତ୍ର ବାଛିବାକୁ କୁହାହେଉଛି ଠିକ୍‌ ସେପରି ଗୋଟେ ନିର୍ଦ୍ଦିଷ୍ଟ ବ୍ୟବସାୟିକ ସଂସ୍ଥା କେବଳ ୨-୩ ମୁଖ୍ୟ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟ କରିପାରିବାର କଠୋର ନିୟମ ହେଉ। ଏହାଦ୍ୱାରା କେବଳ ହାତଗଣତି ସଂସ୍ଥାମାନେ ଲାଭାନ୍ବିତ ନ ହୋଇ ଅନ୍ୟମାନଙ୍କୁ ବି ସୁଯୋଗ ମିଳିପାରିବ। ବ୍ୟବସାୟ କରିବାର ସହଜ ତା’ର କ୍ରମାଙ୍କରେ ଭାରତ ନିଶ୍ଚୟ ବିଗତ ଦିନମାନଙ୍କରେ ଉଲ୍ଲେଖନୀୟ ଉନ୍ନତି କରିଛି କିନ୍ତୁ ଆଜି ବିଦେଶରେ ଗୋଟେ ସଂସ୍ଥାକୁ ପଞ୍ଜୀକରଣ କରିବା ଅପେକ୍ଷା ତାକୁ ବନ୍ଦକରିବାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଅଛି, ଯାହାଦ୍ୱାରା ଦେଶୀୟ ଷ୍ଟାର୍ଟଅପ ସଂସ୍ଥାଗୁଡିକ ଅନ୍ୟଦେଶ ତୁଳନାରେ ସଫଳ ହୋଇପାରୁନି। ଆମକୁ ଏସବୁ ପ୍ରକ୍ରିୟାର ଅଧିକରୁ ଅଧିକ ସରଳୀକରଣ କରିବାର ଆବଶ୍ୟକତା ଅଛି। ତେଣୁ ଆଉ ଥରେ କହି ରଖୁଛି, ଜିଡିପି ସଂଖ୍ୟାର ଉତ୍ଥାନପତନକୁ ଅଧିକ ଧ୍ୟାନ ନ ଦେଇ ନିଜର ମୌଳିକ ଆବଶ୍ୟକତାଗୁଡିକର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଲେ, ଅନ୍ୟଠୁ କିଣିବା ବଦଳରେ ଅନ୍ୟକୁ ବିକିବାର ପରମ୍ପରା ସୃଷ୍ଟି କଲେ ଦେଶ ଧୀରେ ଧୀରେ ସ୍ବାବଲମ୍ବୀ ହୋଇପାରିବ। ବିଦେଶ ତଥା ବଜାର ଉପରେ ନିର୍ଭରଶୀଳତା ହ୍ରାସପାଇବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ କେବଳ ସ୍ଲୋଗାନରେ ସୀମିତ ନ ହୋଇ ବାସ୍ତବ ହୋଇପାରିବ। ହଁ ଏଥିପାଇଁ କିଛି ସମୟ ଲାଗିବ ନିଶ୍ଚୟ କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଓ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରିବ।
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri