ବିହାର ଘଟଣା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା : ଲିଚୁର ମାନ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିହାରରେ ମସ୍ତିଷ୍କ ଜ୍ୱରରେ ଶହେରୁ ଅଧିକ ଶିଶୁଙ୍କ ଜୀବନ ଗଲାଣି। ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ଲିଚୁରେ ଥିବା ଟକ୍ସିକ୍‌ ଏଲିମେଣ୍ଟକୁ ଅନେକ ବିଶେଷଜ୍ଞ ଦାୟୀ କରୁଛନ୍ତି। ଏନ୍‌ସେଫାଲାଇଟିସ୍‌ ଲିଚୁରେ ବ୍ୟାପିଥିବା କୁହାଯାଉଛି। ତେଣୁ ଏହି ଘଟଣା କେବଳ ବିହାର ନୁହେଁ, ସାରା ଦେଶରେ ଚିନ୍ତା ବଢ଼ାଇଦେଇଛି। ଏହି ଘଟଣା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚେତା ପଶିିଛି। ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ମାନ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ନମୁନା ଆଣି ତୁରନ୍ତ ତାହାର ମାନ ପରୀକ୍ଷା କରିବାକୁ ମନ୍ତ୍ରୀ ଖାଦ୍ୟ ନିରାପତ୍ତା କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଉରକେଲା ସହରରେ ଲିଚୁ ବିକ୍ରି ଉପରେ ଜିଲା ପ୍ରଶାସନ କଟକଣା ଲଗାଇଛି। ସୁନ୍ଦରଗଡ଼ ଜିଲା ପ୍ରଶାସନ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେ ପର୍ଯ୍ୟନ୍ତ ଏହି ଘଟଣାର ସତ୍ୟାସତ୍ୟ ଆସି ନ ଥିବ, ସେ ପର୍ଯ୍ୟନ୍ତ ଆମଦାନୀ ହୋଇପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି। ତେବେ ଅନ୍ୟ ସହରରେ ବେଧଡ଼କ ଭାବେ ଲିଚୁ ବିକ୍ରି ଚାଲିଛି। ଭୁବନେଶ୍ୱରରେ ବିହାର ଲିଚୁର ସବୁଠୁ ଅଧିକ ବିକ୍ରି ଚାଲିଛି। ଓଡ଼ିଶାରୁ ୭୦ଭାଗ ଲିଚୁ ବିହାରରୁ ହିଁ ଆସିଥାଏ। ସେପଟେ ଲିଚୁକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଲାଣି।