Categories: ଖେଳ

ବିସିସିଆଇ-ଅଲ୍‌ ଇଣ୍ଡିଆ ରେଡିଓ ଦୁଇ ବର୍ଷିଆ ଚୁକ୍ତି: ଖେଳର ରେଡିଓ କମେଣ୍ଟ୍ରି ଶୁଣିପାରିବେ ଶ୍ରୋତା

ନୂଆଦିଲ୍ଲୀ, ୧୦ା୯ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ଅଲ୍‌ ଇଣ୍ଡିଆ ରେଡିଓ (ଏଆଇଆର) ମଧ୍ୟରେ ଏକ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଦନୁସାରେ ଅଲ୍‌ ଇଣ୍ଡିଆ ରେଡିଓ ଜାତୀୟ କ୍ରିକେଟ ଦଳ ନିଜ ଦେଶରେ ଖେଳିବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ ବ୍ୟତୀତ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ସିଧାସଳଖ ଧାରାବିବରଣୀ ପ୍ରଦାନ କରିବ। ସମଗ୍ର ଭାରତରେ ଲକ୍ଷ ଲକ୍ଷ ଶ୍ରୋତା ଖେଳର ରେଡିଓ କମେଣ୍ଟ୍ରି ଶୁଣିପାରିବେ। ସେପ୍ଟେମ୍ବର ୧୫ରୁ ଧର୍ମଶାଳାଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରୁ ଅଡିଓ କମେଣ୍ଟ୍ରି ଆରମ୍ଭ ହେବ। ଏଆଇଆର୍‌ ଏତଦ୍‌ବ୍ୟତୀତ ପୁରୁଷ ଓ ମହିଳା ଘରୋଇ ଟୁର୍ନାମେଣ୍ଟ ଏବଂ ମ୍ୟାଚଗୁଡ଼ିକର କଭରେଜ କରିବ। ଦୁଇ ବର୍ଷିଆ ଚୁକ୍ତି ୨୦୧୯ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ଏବଂ ୨୦୨୧ ଅଗଷ୍ଟ ୩୧ରେ ଶେଷ ହେବ। ରଣ୍‌ଜୀ ଟ୍ରଫି, ଇରାନୀ କପ୍‌, ଦେଓଧର ଟ୍ରଫି, ସୟେଦ ମୁସ୍ତାକ ଅଲି ଟ୍ରଫି ଏବଂ ମହିଳା ଚ୍ୟାଲେଞ୍ଜର ସିରିଜକୁ ଅଲ୍‌ ଇଣ୍ଡିଆ ରେଡିଓ କଭରେଜ କରିବ।

Share