Categories: ଖେଳ

ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ :ଭାରତୀୟ ଦଳରେ ଓଡ଼ିଶାର ଝିଲ୍ଲୀ, ସ୍ନେହା

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ଥାଇଲାଣ୍ଡର ପଟ୍ଟାୟାଠାରେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଚଳିତମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟଭାବେ ବିବେଚିତ ହେଉଥିବା ଏହି ପ୍ରତିଯୋଗିତା ପାଇଁ ସୋମବାର ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ ସ୍ଥାନ ପାଇଛନ୍ତି। ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଝିଲ୍ଲୀ ୪୫ କେଜି ଓ ସ୍ନେହା ୫୫ କେଜି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ଦଳରେ ସ୍ଥାନ ପାଇଥିବା ଅନ୍ୟ ଭାରୋତ୍ତୋଳିକାମାନେ ହେଲେ ପୂର୍ବତନ ଚାମ୍ପିୟନ ମୀରାବାଇ ଚାନୁ(୪୯ କେଜି) ଓ ରାଖି ହାଲଦାର(୬୪ କେଜି)। ପୁରୁଷ ବିଭାଗରେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ଗୋଲ୍ଡ ମେଡାଲିଷ୍ଟ ଅଜୟ ସିଂ(୮୧ କେଜି), ଜାତୀୟ ଚାମ୍ପିୟନ ଅଚିନ୍ତ ଶେଉଲି(୭୩) ଓ ଜେରେମି ଲାଲରିନୁଙ୍ଗା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ୭ ଜଣଯାକ ପ୍ରତିଯୋଗୀ ଏବେ ଥାଇଲାଣ୍ଡରେ ଟ୍ରେନିଂ ନେଉଛନ୍ତି।
ମୟୂରଭଞ୍ଜର ସ୍ନେହା ଚଳିତବର୍ଷ ଜାନୁୟାରୀ ୧୦ରେ ପୁଣେରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪୯ କେଜି କାଟେଗୋରିର ୨୧ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ୨୦୧୮ରେ ବିଶାଖାପଟନମରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୩ ରୌପ୍ୟ ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ରୌପ୍ୟ ପଦକ ପାଇଥିଲେ। ୨୦୧୮ ଏପ୍ରିଲ ୨୦ରୁ ୩୦ ପର୍ଯ୍ୟନ୍ତ ଉଜବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସେ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ୨୦୧୭ରେ ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ମହିଳା ୪୮ କେଜିରେ ସେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଖୋର୍ଦ୍ଧାର ଝିଲ୍ଲୀ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ସଫଳତାପରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟି ଯାଇଛନ୍ତି। ଅନ୍ତର୍ଜାତୀୟ ଇଭେଣ୍ଟ ମଧ୍ୟରେ ସେ ୨୦୧୬ ମାଲେସିଆ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ରୌପ୍ୟ, ୨୦୧୭ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୨ ସ୍ବର୍ଣ୍ଣ, ୨୦୧୮ରେ ଉଜ୍‌ବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନରେ ରୌପ୍ୟ, ସେହିବର୍ଷ ଉଜବେକିସ୍ତାନରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଏବଂ ୨୦୧୯ ଏପ୍ରିଲରେ ଚାଇନାରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ୪୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।

Share