Categories: ଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଅମିତଙ୍କୁ ରୌପ୍ୟ ପଦକ

ଏକଟେରିନବର୍ଗ(ରୁଷିଆ), ୨୨।୯(ପି.ଟି.)-
ପ୍ରଥମ ଭାରତୀୟ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଅମିତ ପଙ୍ଘାଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ୫୨ କେଜି ଫାଇନାଲରେ ଅଲିମ୍ପିକ୍‌ ଚାମ୍ପିୟନ ଉଜ୍‌ବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କଠାରୁ ହାରି ଯାଇଛନ୍ତି। ଜୋଇରୋଭ ଅଭିଜ୍ଞତାର ଉପଯୋଗ କରି ଅମିତଙ୍କୁ ୫-୦ରେ ପରାସ୍ତ କରିଥିଲେ। ତେବେ ସେ ଭାରତର ପ୍ରଥମ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ବଡ଼ ସଫଳତା ପାଇଛନ୍ତି। ଅନ୍ୟତମ ଭାରତୀୟ ମନୀଷ କୌଶିକ ୬୩ କେଜି ବିଭାଗର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରତିପକ୍ଷ ଡେଙ୍ଗା ଏବଂ ଶକ୍ତିଶାଳୀ ପ୍ରତିଯୋଗୀଙ୍କ ବିପକ୍ଷରେ ପଙ୍ଘାଲ ବହୁ ଚେଷ୍ଟା କରିଥିଲେ ହେଁ ଉପଯୁକ୍ତ ସ୍ଥାନରେ ପଞ୍ଚ୍‌ ମାରିବାରେ ବିଫଳ ହୋଇଥିଲେ। ଫଳରେ ଏହି ଏସିଆନ ଗେମ୍ସ ଏବଂ ଏସିଆନ ଚାମ୍ପିୟନଶିପ୍‌ ଗୋଲ୍ଡ ମେଡାଲିଷ୍ଟ ଐତିହାସିକ ସଫଳତାରୁ ବଞ୍ଚତ୍ତ ହୋଇଥିଲେ। ତେବେ ଏହି ରୌପ୍ୟ ପଦକ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି ପରିଗଣିତ ହେଉଛି। ୨୦୧୭ ଏସିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିବା ପରଠାରୁ ଏହି ରୋହତକ ବକ୍ସରଙ୍କୁ ରୋକିବା ପ୍ରତିପକ୍ଷଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏହା ପୂର୍ବରୁ କୌଣସି ଭାରତୀୟ ବକ୍ସର କେହେଲେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ନ ଥିଲେ। ଅତୀତରେ ଏହି ମେଗା ଇଭେଣ୍ଟରେ ବିଜେନ୍ଦର ସିଂ(୨୦୦୯), ବିକାଶ କ୍ରିଷ୍ଣନ(୨୦୧୧), ଶିବା ଥାପା(୨୦୧୫) ଓ ଗୌରବ ବିଧୁରୀ(୨୦୧୭)ରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଏଥର ପ୍ରତିଯୋଗିତାରେ ଭାଗ ନେଇଥିବା ୭୮ଟି ଦେଶ ମଧ୍ୟରୁ ୯ଟି ଦେଶର ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲ ଏବଂ ଏଥିରେ ଭାରତ ଅନ୍ୟତମ ଦେଶ ଥିଲା। ଉଜ୍‌ବେକିସ୍ତାନରୁ ସର୍ବାଧିକ ୪ ବକ୍ସର ଫାଇନାଲରେ ପ୍ରବେଶ କରିଥିଲେ।

Share