ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପୁରସ୍କାର ରାଶି

ବହୁଦିନର ପ୍ରତୀକ୍ଷା ପରେ କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ମେଗା ଇଭେଣ୍ଟ ବିଶ୍ୱର ଲୋକପ୍ରିୟ କ୍ରୀଡ଼ା ମଧ୍ୟରୁ ଅନ୍ୟତମ। ତେବେ ବିଶ୍ୱକପ୍‌ର ମୋଟ୍‌ ପୁରସ୍କାର ରାଶି ଉପରେ ନଜର ପକାଇଲେ ଏହା ବିଶ୍ୱର ଅନ୍ୟ କ୍ରୀଡ଼ା ପ୍ରତିଯୋଗିତାଠାରୁ ପଛରେ ରହିବା ଏକପ୍ରକାର ନିଃଶ୍ଚିତ। ଚଳିତ କ୍ରିକେଟ ବିଶ୍ୱକପ୍‌ର ମୋଟ୍‌ ପୁରସ୍କାର ରାଶି ୧୦ ମିଲିୟନ ଆମେରିକୀୟ ଡଲାର ରହିଛି, ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୬୯.୮ କୋଟି ଟଙ୍କା ହେବ। ୪୬ ଦିନ ଧରି ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସଅପ୍‌ ଦଳକୁ ଯଥାକ୍ରମେ ୪ (ଭାରତୀୟ ମୁଦ୍ରାରେ ୨୭.୯ କୋଟି) ଓ ୨ (ଭାରତୀୟ ମୁଦ୍ରାରେ ୧୩.୯ କୋଟି)ମିଲିୟନ ଡଲାର ପ୍ରଦାନ କରାଯିବ। ସେହିଭଳି ସେମିଫାଇନାଲରେ ପରାସ୍ତ ହୋଇଥିବା ଦଳ ୮ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ୫.୫୯ କୋଟି) ପାଇବେ। କିନ୍ତୁ ଯଦି ଆମେ ଅନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ରାଶି ସହିତ ତୁଳନା କରିବା ଆଇସିସି ବିଶ୍ୱକପ୍‌ର ଦିଆଯାଉଥିବା ଅର୍ଥରାଶି ବହୁ ପଛରେ ରହିବ। ଫିଫା ବିଶ୍ୱକପ୍‌, ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଗୁଡ଼ିକରେ ଏହାଠାରୁ ଢେର ଅଧିକ ଅର୍ଥରାଶି ପ୍ରଦାନ କରାଯାଇଥାଏ। ୨୦୧୮ ଫିଫା ବିଶ୍ୱକପ୍‌ରେ ୪୦୦ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨,୭୯୫ କୋଟି ପାଖାପାଖି) ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଥିଲା। ସେହିଭଳି ଗଲ୍ଫ ଟୁର୍ନାମେଣ୍ଟ ଫେଡେକ୍ସ କପ୍‌ରେ ୭୦ ମିଲିୟନ ଡଲାର, ୟୁଏସ୍‌ ଓପନ୍‌ରେ ୫୩ ମିଲିୟନ ଓ ପ୍ୟାରିସଠାରେ ବର୍ତ୍ତମାନ ଚାଲିଥିବା ଫ୍ରେଞ୍ଚ୍‌ ଓପନ୍‌ରେ ମୋଟ୍‌ ୪୮ ମିଲିୟନ ଡଲାର ଅର୍ଥରାଶି ରଖାଯାଇଛି। ନିମ୍ନରେ ସାରଣୀରେ ଏହା ଦର୍ଶାଗଲା…

Share