ବିଶ୍ୱକପ ଶୁଭାରମ୍ଭ କଲେ ପ୍ରୀନ୍ସ ହ୍ୟାରି

ଲଣ୍ଡନ,୩୧।୫(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାର ଆରମ୍ଭ ହୋଇଛି। ବ୍ରିଟେନ ପ୍ରିନ୍ସ ହ୍ୟାରୀ ଆନୁଷ୍ଠାନିକ ଭାବେ ଟୁର୍ନାମେଣ୍ଟ ଶୁଭାରମ୍ଭ ହେଲା ବୋଲି ଘୋଷଣା କରିବା ପରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିଥିଲେ। ଏଥିରେ ୧୦୪ ରନରେ ବିଜୟ ସହ ଇଂଲଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ହ୍ୟାରୀ ଇଂଲଣ୍ଡର ସାଂସ୍କୃତିକ ବିବିଧତାକୁ ପ୍ରଶଂସା କରିଥିଲେ। ଦୀର୍ଘ ବର୍ଷ ପରେ ଇଂଲଣ୍ଡ ପୁଣିଥରେ ଏହି ମେଗା ଇଭେଣ୍ଟ ଆୟୋଜନ କରିଥିବାରୁ ଏହା ଦେଶ ପାଇଁ ଆନନ୍ଦର ବିଷୟ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ଚଳିତ ମାସ ହ୍ୟାରୀ ପ୍ରଥମଥର ପାଇଁ ପିତା ହେବାର ଗୌରବ ଅର୍ଜନ କରିଥିଲେ। ଇଂଲଣ୍ଡ ଓ ଓ୍ବେଲ୍ସର ସହରଗୁଡିକ ବିଶ୍ୱକପ୍‌ କାରଣରୁ ଆଗାମୀ ୬ ସପ୍ତାହ ପାଇଁ ଚଳଚଞ୍ଚଳ ହେବ। ସବୁ ଦଳ ଓ ଖେଳାଳି ଦମ୍‌ଦାର ପ୍ରଦର୍ଶନ କରି ବିଶ୍ୱବ୍ୟାପୀ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ସେ କହିଥିଲେ। ଏହାକୁ ମିଶାଇ ଇଂଲଣ୍ଡ ପଞ୍ଚମଥର ପାଇଁ ବିଶ୍ୱକପ୍‌ ଆୟୋଜନ କରିବାର ସୁଯୋଗ ହାସଲ କରିଛି। ଶେଷଥର ପାଇଁ ୧୯୯୯ରେ ଇଂଲଣ୍ଡ ବିଶ୍ୱକପ୍‌ ଆୟୋଜନ କରିଥିଲା।

Share