Categories: ଖେଳ

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଦୁସାମ୍ବେ (ତାଜିକିସ୍ତାନ), ୧୫ା୧୧ (ପି.ଟି.)-ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହିତ ୧୦୬ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ଗ୍ରୁପ୍‌ ଇ’ରେ ୪ଟି ମ୍ୟାଚରୁ ୩ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ଅଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ୪ପଏଣ୍ଟ ସହ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି। ସ୍ଥାନୀୟ ସେଣ୍ଟ୍ରାଲ ରିପବ୍ଲିକାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଜେଲଫାଗର ନାଜାରି (୪୫+୧ତମ ମିନିଟ୍‌) ଏକ ଗୋଲ ସ୍କୋର କରି ଆଫଗାନିସ୍ତାନକୁ ୧-୦ ରେ ଅଗ୍ରଣୀ କରାଇଥିଲେ। ଭାରତ ଦ୍ୱିତୀୟ ପରାଜୟ ଆଡକୁ ମୁହଁାଉ ଥିବାବେଳେ ସିମିନ୍‌ଲେନ୍‌ ଡଙ୍ଗେଲ ଇଞ୍ଜୁରି ଟାଇମ୍‌(୯୦+୩)ରେ ଏକ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଜିତିବାରେ ସଫଳ ହୋଇ ପାରିନି। କୋଚ୍‌ ଇଗୋର ଷ୍ଟିମାକ୍‌ ବାଂଲାଦେଶ ବିପକ୍ଷରେ ଖେଳିଥିବା ଭାରତୀୟ ଦଳରେ ୩ ପରିବର୍ତ୍ତନ କରିଥିଲେ। ଆନାସ ଇଡାଥୋଡ଼ିକା, ଅନିରୁଦ୍ଧ ଥାପା ଏବଂ ମନବୀର ସିଂଙ୍କ ସ୍ଥାନରେ କୋଟାଲ, ବ୍ରାଣ୍ଡନ ଫର୍ନାଣ୍ଡିଜ ଏବଂ ପ୍ରଣୟ ହାଲ୍‌ଦାରଙ୍କୁ ଦଳରେ ନେଇଥିଲେ।

Share