Categories: ଖେଳ

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ ନେତୃତ୍ୱ କାଢିନିଆଯାଇଛି। ତାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ଦିମୁଥ କରୁଣାରତ୍ନେ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗାଟିଏ ଦିନ ପରେ ବିଶ୍ୱକପ୍‌ ଦଳ ଘୋଷଣା କରାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ତରଫରୁ କୁହାଯାଇଛି। ୩୧ ବର୍ଷୀୟ କରୁଣାରତ୍ନେ ୨୦୧୫ଠାରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍‌ ଖେଳିନାହାନ୍ତି। କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ମୋଟ ୧୭ଟି ଦିନିକିଆ ଖେଳିଛନ୍‌ି ଓ ୧୫.୮୩ ହାରରେ ରନ ସଂଗ୍ରହ କରିଛନ୍ତି। ୬୦ ହେଉଛି ତାଙ୍କର ଉଚ୍ଚତମ ସ୍କୋର। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୦-୫ରେ ପରାସ୍ତ ହୋଇଥିଲା। ମାଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ୨୦୧୪ରେ ବିଶ୍ୱକପ୍‌ ଟି୨୦ ଚାମ୍ପିୟନ ହୋଇଥିଲା। ଟେଷ୍ଟ ଓପନର କରୁଣାରତ୍ନେଙ୍କ ନେତୃତ୍ୱରେ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲା।

Share