ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର

ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିନେଇ ସେ କୌଣସି କାରଣ ଦର୍ଶାଇ ନ ଥିବା ବିସିସିଆଇ ଅଫିସିଆଲ କହିଛନ୍ତି। ୩୩ ବର୍ଷୀୟ ଆନ୍ଧ୍ରପ୍ରଦେଶ ଖେଳାଳିଙ୍କୁ ବିଶ୍ୱକପ୍‌ ଲାଗି ଷ୍ଟାଣ୍ଡବାଇ ରଖାଯାଇଥିଲା। ହେଲେ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ରାୟୁଡୁଙ୍କୁ ଉପେକ୍ଷା କରାଯାଇ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଥିଲା। ଏଥିଯୋଗୁ ରାୟୁଡୁ ଦୁଃଖିତ ଥିଲେ। ଅବସର ସମ୍ପର୍କରେ ସେ ଖୁବ ଶୀଘ୍ର ଘୋଷଣା କରିବେ। କିନ୍ତୁ ନିଜ ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଯୋଗାଯୋଗ କରି ଜଣାଇ ଦେଇଛନ୍ତି। ଆମେ ସକାଳେ ତାଙ୍କର ଏକ ମେଲ୍‌ ପାଇଥିଲୁ। ଅବସର ଲାଗି ନିର୍ଦ୍ଦିଷ୍ଟ କାରଣ ଦେଇନାହାନ୍ତି। ଯେଉଁ ଅଧିନାୟକଙ୍କ ନେତୃତ୍ୱରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି, ସେମାନଙ୍କୁ ଓ ବିସିସିଆଇକୁ ରାୟୁଡୁ ଧନ୍ୟବାଦ ଜଣାଇଛନ୍ତି ବୋଲି ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ଦେଶ ପାଇଁ ୫୫ ଦିନିକିଆ ଖେଳି ୪୭.୦୫ ଆଭରେଜରେ ମୋଟ ୧୬୯୪ ରନ୍‌ କରିଛନ୍ତି। ତାଙ୍କୁ ଟେଷ୍ଟ ଦଳରେ କଦାପି ସ୍ଥାନ ମିଳିନାହିଁ। ପୂର୍ବରୁ ଶଙ୍କର ୩ ଡାଇମେନସନାଲ ଖେଳାଳି ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଥିବା ଏମ୍‌.ଏସ୍‌.କେ. ପ୍ରସାଦ କହିଥିଲେ। ରାୟୁଡୁଙ୍କୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ରଖାଯାଇଥିଲା। ସେ ଦିନିକିଆ ଫର୍ମାଟକୁ ଗୁରୁତ୍ୱ ଦେବା ଲାଗି ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇସାରିଛନ୍ତି। ଘଟଣାକ୍ରମେ ବାସନ୍ଦ ୭୯ ଖେଳାଳିଙ୍କ ମଧ୍ୟରେ ରାୟୁଡୁ ସାମିଲ ଥିଲେ। ତାଙ୍କୁ ୨୦୦୯ରେ ବିସିସିଆଇ କ୍ଷମା କରିଥିଲା। ଏହାପରେ ୨୦୧୩ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।

Share