ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ ଯିବା ପାଇଁ କଟକଣା କରାଯାଇଛି। ତଥାପି କଳାହାଣ୍ଡି ଜିଲା ଜୁନାଗଡ଼ ଅଞ୍ଚଳର ୧୮ଜଣ ଯୁବକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଚାଲିଚାଲି ଓଡ଼ିଶା ଫେରିଆସିଛନ୍ତି। ସେମାନେ କାମ କରିବା ପାଇଁ ବିଶାଖାପାଟଣା ଯାଇଥିଲେ। ଲକ୍ ଡାଉନ୍ ଘୋଷଣା ପରେ କାମ ଧନ୍ଦା ବନ୍ଦ ହେବା ଓ ଖାଦ୍ୟ, ଅର୍ଥର ଅଭାବ ଯୋଗୁ ବାଧ୍ୟହୋଇ ସେମାନେ ବିଶାଖାପାଟଣାରୁ ପ୍ରାୟ ୨୦୦ କିଲୋମିଟର ରେଳ ଧାରଣାରେ ଚାଲିଚାଲି ଆସୁଥିଲେ। ମୁନିଗୁଡ଼ା ତିନିକୋଣିଆସ୍ଥିତ ରେଳ ଫାଟକଠାରେ କେତେକ ଲୋକ ସେମାନଙ୍କୁ ଦେଖିଥିଲେ। ମୁନିଗୁଡ଼ା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୈଳସ ଚନ୍ଦ୍ର ପାତ୍ର ଖବର ପାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ। ପରେ ମୁନିଗୁଡ଼ା ଦୁବେସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟଙ୍କ ସହାୟତାରେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଖବର ପାଇ ମୁନିଗୁଡ଼ା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଦେବାଶିଷ ଗୌଡ଼, ବିଡିଓ ଦିଲ୍ଲୀପ ବେହେରା, ଥାନା ଅଧିକାରୀ ରାଜେନ୍ଦ୍ର ଦେହୁରୀ ସେମାନଙ୍କୁ ପ୍ରଶାସନ ତରଫରୁ ଆଇସୋଲେଶନ ସେଣ୍ଟରରେ ରଖିଛନ୍ତି।ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଉଛି। ଏମାନେ ସମସ୍ତେ କଳାହାଣ୍ଡି ଜିଲା ଜୁନାଗଡ଼, ନର୍ଲା, କର୍ଲାମୁଣ୍ଡା, ଚିଚିଙ୍ଗଗୁଡ଼ା, ଖରିଆର, କୁଟ୍ରୁକୁମା ଅଞ୍ଚଳର ବୋଲି ଜଣାପଡ଼ିଆଛି।