ବିଲ୍‌ ଆଦାୟ ପାଇଁ ତତ୍ପର ସେସୁ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବିଦ୍ୟୁତ୍‌ ଡିଭିଜନ ନଂ.୨ ଅନ୍ତର୍ଗତ ୩ଟି ବିଦ୍ୟୁତ୍‌ ସେକ୍ସନର ଉପଭୋକ୍ତାଙ୍କ ଉପରେ ପ୍ରାୟ ୧୪କୋଟି ୫୪ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ଆଦାୟ ପାଇଁ ସେସୁ ପକ୍ଷରୁ ତତ୍ପରତା ଦେଖାଯାଇଛି। ଏଥି ଲାଗି ସେକ୍ସନ ଅଫିସରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଅନ୍ୟପକ୍ଷେ ସେସୁକୁ ଟାଟା ପାଓ୍ବାର ଅଧିଗ୍ରହଣ କରିବା ପରେ ଉପଭୋକ୍ତାମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ୪୨ମୌଜା ବିଦ୍ୟୁତ୍‌ ସେକ୍ସନରେ ୮ହଜାର ଉପଭୋକ୍ତାଙ୍କ ଉପରେ ୫କୋଟି ୬୯ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ବେଳେ କନ୍ଦରପୁରର ୭ହଜାର ଉପଭୋକ୍ତାଙ୍କ ୫କୋଟି ୭୫ଲକ୍ଷ ଟଙ୍କା ଏବଂ କିଶନ୍‌ନଗରର ୬ହଜାର ଉପଭୋକ୍ତଙ୍କ ଉପରେ ୩କୋଟି ୧୦ ଲକ୍ଷ ଟଙ୍କାର ବକେୟା ରହିଛି। ଏମାନଙ୍କ ମଧ୍ୟରେ ବହୁ ଉପଭୋକ୍ତା ବର୍ଷ ବର୍ଷ ଧରି ବିଲ୍‌ ପଇଠ କରି ନ ଥିଲେ। ଫଳରେ ଲକ୍ଷାଧିକ ଟଙ୍କା ବିଲ୍‌ ବକେୟା ରହିଥିଲା। ୨୦୦୯-୧୦ ଆର୍ଥିକ ବର୍ଷରେ ସେସୁ ଦ୍ୱାରା ଆପୋସ ସମାଧାନ ଦ୍ୱାରା ବକେୟା ବିଲ୍‌ ପଇଠ ସୁଯୋଗ ଦିଆଯାଇଥିଲା। ଏକକାଳୀନ ବିଲ୍‌ ପଇଠ କଲେ, ୫୦ପ୍ରତିଶତ ରିହାତି ପ୍ରଦାନ କରାଯାଇଥିଲା। ହେଲେ ସେହି ସମୟରେ ରିହାତି ପାଇବା ପରେ ପୁଣି ବିଲ୍‌ ପଇଠ କରିବାରେ ଅବହେଳା କରିଥିଲେ। ଯେଉଁମାନେ ଏକକାଳୀନ ବିଲ୍‌ ପଇଠ ନ କରିପାରିବେ, ସେମାନେ ୬ଟି କିସ୍ତିରେ ପଇଠ କରିପାରିବେ ବୋଲି ସହକାରୀ ପରିଚାଳକ ସରୋଜ କୁମାର ସାହୁ କହିଛନ୍ତି।