Categories: ଖେଳ

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ ବୁଧବାର ନଟରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ବାନ୍ଧବୀ ଶୁଭଲକ୍ଷ୍ମୀ ଶତପଥୀଙ୍କୁ ନଟରାଜ ପ୍ରେମ ବିବାହ କରିଥିବା ବେଳେ ବିବାହ ଅବସରରେ ନଟରାଜ ଓ ଶୁଭଲକ୍ଷ୍ମୀଙ୍କ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପିତା ସୁବ୍ରତ ଶତପଥୀ ଓ ମା’ ତ୍ରିଦେବୀ ଶତପଥୀଙ୍କ ଝିଅ ଶୁଭଲକ୍ଷ୍ମୀ ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଗତ ୯ବର୍ଷ ହେବ ନଟରାଜ-ଶୁଭଲକ୍ଷ୍ମୀ ପ୍ରେମ ସମ୍ପର୍କରେ ଥିଲେ । ପିତା ସ୍ବର୍ଗତ ଭୁବନ ବେହେରା ଓ ମା ଚିତ୍ରା ବେହେରାଙ୍କ ପୁଅ ନଟରାଜ ଓଡ଼ିଶା କ୍ରିକେଟ ଜଗତରେ ଜଣେ ପରିଚିତ ଓ ଖ୍ୟାତନାମା କ୍ରିକେଟର । ନଟରାଜଙ୍କ ବଳିଷ୍ଠ ନେତୃତ୍ୱ ବଳରେ ୨୦୧୧-୧୨ ଓ ୨୦୧୨-୧୩ ସିଜନରେ ପୂର୍ବାଞ୍ଚଳ ଦଳ ଦୁଲୀପ ଟ୍ରଫି ଚାମ୍ପିୟନ ହୋଇଛି । ଦୁଲୀପ ଟ୍ରଫିର ୫୦ଟି ସଂସ୍କରଣ ପରେ ପୂର୍ବାଞ୍ଚଳକୁ ଟାଇଟଲ ଦେଇ ନଟରାଜ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ପୂର୍ବରୁ ରାଜ୍ୟ ଦଳର ଅଧିନାୟକ ରହିଥିବା ନଟରାଜ ୫୪ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୩୦୩୧ ରନ ସଂଗ୍ରହ କରିଛନ୍ତି । ୨୦୧୫-୧୬ ସିଜିନରେ ହରିୟାଣା ବିପକ୍ଷରେ ୨୫୫ରନର ଇନିଂସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ମାତ୍ର ଏବେ ନଟରାଜ କ୍ରିକେଟରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ଏପରିକି ଗତ ରଣଜୀ ସିଜନ ନିମନ୍ତେ ରାଜ୍ୟ ଶିବିରରେ ମଧ୍ୟ ସେ ସ୍ଥାନ ପାଇ ନ ଥିଲେ । କଳାହାଣ୍ଡି କପରେ ଅଂଶ ଗ୍ରହଣ ନ କରିବାରୁ ତାଙ୍କୁ ଶିବିରରେ ସାମିଲ କରାଯାଇ ନଥିଲା ।

Share