ବିପଦସଙ୍କୁଳ ଅବସ୍ଥାରେ ସୋନପୁର ରାଜପ୍ରାସାଦ

ସୋନପୁର,୨୩।୧୦(ନି.ପ୍ର.): ମହାନଦୀ କୂଳରେ ଥିବା ସୋନପୁର ରାଜପ୍ରାସାଦ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ପ୍ରତିଦିନ ରାଜପ୍ରାସାଦରୁ ଇଟା ଓ କଂକ୍ରିଟ୍‌ ଖଣ୍ଡ ଖସୁଛି। ସରକାର ଏହି ଐତିହାସିକ କୀର୍ତ୍ତିରାଜିକୁ ଧ୍ୱଂସ ମୂହଁରୁ ରକ୍ଷା କରିବା ପାଇଁ କୌଣସି ଉଦ୍ୟମ କଲେନି। କେତେବେଳେ ଯେ ଏହା ଭୁଶୁଡି ପଡିବ ଓ ମୂଲ୍ୟବାନ ଜୀବନ ହାନି ଘଟିବ କହିହେବ ନାହିଁ । ସହରର ଗଡଭିତରବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ରାଜପ୍ରାସାଦର ମୁଖଶାଳାରୁ ଏକ ବିରାଟ ଅଂଶ ଭାଙ୍ଗି ତଳେ ପଡିଥିଲା। ସୌଭାଗ୍ୟକ୍ରମେ ସେତେବେଳେ ତଳେ କେହି ନଥିଲେ। ଭଗ୍ନ ପ୍ରାସାଦ ପାର୍ଶ୍ୱରେ ଏକ ଦୁର୍ଗା ମନ୍ଦିର ଅଛି। ସମ୍ମୁଖରେ ଗୋପାଲଜୀ ମନ୍ଦିର ରହିଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦେବୀ ଦୁର୍ଗା ଓ ଗୋପାଲଜୀ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ସେହିପରି ନଭେମ୍ବର ୧୨ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପାଲଜୀ ମନ୍ଦିର ପରିସରରେ ୫୧୧୫ତମ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାୟ ୩୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେବେ । ତେଣୁ କୌଣସି ଅଘଟଣ ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ଥିବା ରାଜପ୍ରାସାଦର କୋଠାକୁ ପ୍ରଶାସନ ଭାଙ୍ଗିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ଓ ବଡ ଗୋପାଲଜୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ଜିଲା ପ୍ରଶାସନ ସର୍ଭେ କରି ରାଜପ୍ରାସାଦକୁ ଅସୁରକ୍ଷିତ ଘୋଷଣା କରିବା ସହିତ ଭାଙ୍ଗିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗୁରୁବାର ମନ୍ଦିର କମିଟି ଜିଲାପାଳ ତଥା ମ୍ୟୁନିସିପାଲିଟିର ପ୍ରଶାସନିକ ଅଧିକାରୀ ମୋନିଷା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ଦୁର୍ଗାମନ୍ଦିର ପରିଚାଳନା କମିଟିର ସଭାପତି ବିଦୁଭୂଷଣ ପାଣିଗ୍ରାହୀ, ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବଂଶୀଧର ମହାପାତ୍ର, ରାମନାରାୟଣ ମହାପାତ୍ର, ସୀତାରାମ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ହୋତା, କୃପାସିନ୍ଧୁ ପାଣିଗ୍ରାହୀ, ଭିକାରୀ ଚରଣ ପୂଜାରୀ, ଜୟନାରାୟଣ ପୂଜାରୀ, ମଧୁମଙ୍ଗଳ ସାହୁ, ହିମାଂଶୁ ବଡପଣ୍ଡା, ଶୁଭ୍ରାଂଶୁ ଶେଖର ମିଶ୍ର ଓ ପ୍ରବୀଣ ପଟ୍ଟନାୟକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।