ବିପଦରେ ଜୈବବିବିଧତା

ଡ. ଦେବାନନ୍ଦ ବେଉରା

ଜୈବବିବିଧତା କହିଲେ ଜୀବ ପ୍ରଜାତିର ପ୍ରକାର ଓ ପ୍ରସାରଣକୁ ବୁଝାଏ। ପୃଥିବୀରେ ଅନେକ ଜାତି ଓ ପ୍ରଜାତିର ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ ଏବଂ ଅଣୁଜୀବ ଦେଖାଯାଆନ୍ତି। ପ୍ରତ୍ୟେକ ନିଜର ବାସସ୍ଥାନ, ଖାଦ୍ୟାଭ୍ୟାସ ଓ ଜୀବନଚକ୍ର ଅନୁଯାୟୀ ଗୋଟେ ଗୋଟେ ପରିସଂସ୍ଥା ସହିତ ଅନୁବନ୍ଧିତ ହୋଇ ରହିଥାନ୍ତି। ଆମ ଚତୁଃପାର୍ଶ୍ୱରେ ଏସବୁ ଜୀବ ପାରସ୍ପରିକ କ୍ରିୟା, ପ୍ରତିକ୍ରିୟା, ନିର୍ଭରଶୀଳତା ମାଧ୍ୟମରେ ଜୈବମଣ୍ଡଳକୁ ସକ୍ରିୟ ଓ ସଂଗଠିତ କରି ରଖିଥାନ୍ତି। ପ୍ରକୃତିରେ ବସବାସ କରୁଥିବା ଏହି ଭିନ୍ନ ଭିନ୍ନ ପ୍ରକାରର ଅସଂଖ୍ୟ ଜୀବଜନ୍ତୁ ଗଛଲତାଙ୍କ ସମାହାରକୁ ଜୈବବିବିଧତାର ମାନ୍ୟତା ଦିଆଯାଇଛି।
ଜୈବବିବିଧତା ପରିସଂସ୍ଥୀୟ ସେବାର ଭିତ୍ତିଭୂମି ସ୍ବରୂପ ମଣିଷର ଅନେକ ଉପକାର କରିଥାଏ। ଅଲଗା ଅଲଗା ପରିସଂସ୍ଥାରେ ଅସଂଖ୍ୟ ଜୀବ-ବୃକ୍ଷ-କୀଟ ସେମାନଙ୍କ ସାମୂହିକ ଜୈବପ୍ରକ୍ରିୟା ଦ୍ୱାରା ଜଳ-ସ୍ଥଳ-ବାୟୁମଣ୍ଡଳକୁ ସମ୍ମେଳନ କରି ପରିବେଶୀୟ ପ୍ରଣାଳୀ ରଚନା କରନ୍ତି। ଏଥିରେ ସମସ୍ତଙ୍କର ସମ୍ମିଳିତ ପ୍ରୟାସର ପରିପ୍ରକାଶ ହେଉଛି ବିଶୁଦ୍ଧ ବାୟୁ, ନିର୍ମଳ ଜଳ, ଉର୍ବର ମୃତ୍ତିକା, ପ୍ରଶସ୍ତ ସମୁଦ୍ର, ଉପାଦେୟ ଭୂମି ତଥା ଖାପଖୁଆଇଲା ଭଳି ଜଳବାୟୁ। ଏସବୁ ପ୍ରାକୃତିକ ସମ୍ପଦ ଓ ସଂସ୍ଥାନର ବଡ଼ ହିତାଧିକାରୀ ହେଉଛି ମଣିଷ। ଅନ୍ୟ ପ୍ରାଣୀଙ୍କ ଜୀବନଶୈଳୀ ପ୍ରକୃତି ପ୍ରାୟୋଜିତ ହୋଇଥିବାସ୍ଥଳେ ମଣିଷ ନିଜର ବିବେକ କିମ୍ବା ଇଚ୍ଛାନୁଯାୟୀ ପ୍ରକୃତି ଓ ପରିସଂସ୍ଥାକୁ ବ୍ୟବହାର କରିଥାଏ। ଏଣୁ ଜୈବବିବିଧତା ଉପରେ ମଣିଷ କାର୍ଯ୍ୟାବଳୀର ପ୍ରଭାବ ସିଧାସଳଖ ପଡ଼ିବା ସ୍ବାଭାବିକ।
ପୃଥିବୀ ସୃଷ୍ଟିର ଆରମ୍ଭରୁ ବ୍ୟାକ୍ଟେରିଆ ଭଳି ଏକକୋଷୀ ଜୀବ ଓ ପରେ ବିବର୍ତ୍ତନବାଦରେ ସୃଷ୍ଟି ହେଲେ ଅନେକ ଜୀବଜନ୍ତୁ ଓ ଗଛଲତା। ୪୫୦୦ ନିୟୁତ ବୟସ୍କ ପୃଥିବୀରେ ୩୫୦୦ ନିୟୁତ ବର୍ଷ ବେଳକୁ ଜୀବ ଆବିର୍ଭାବ ଘଟେ, ଯାହା ବିବାଦମୁକ୍ତ ଜୀବାଶ୍ମ ଦ୍ୱାରା ପ୍ରମାଣିତ। ଜୀବଙ୍କ ଜାତି ପ୍ରଜାତିର ସମ୍ପ୍ରସାରଣ ଘଟି ଜୈବମଣ୍ଡଳ ପରିପୁଷ୍ଟ ହେବା ସହିତ ଜୈବବିବିଧତାର ସ୍ବରୂପ ସୃଷ୍ଟି କରେ। ଜୈବ ଇତିହାସର ଗୋଟିଏ କାଳରେ ଅର୍ଥାତ୍‌ ଫାନେରୋଜୋଇକ୍‌ ସମୟରେ ଜୈବବିବିଧତାର ବୃଦ୍ଧି ସର୍ବାଗ୍ରେ ପହଞ୍ଚତ୍ଥିଲା। ପରବର୍ତ୍ତୀ ସମୟରେ ଅନେକ ପ୍ରାକୃତିକ କାରଣ ଯଥା ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ପତ୍ତନ ବୃଦ୍ଧି, ପ୍ରବଳ ଓ ପ୍ରଚଣ୍ଡ ଉଲ୍‌କାପାତ, ଅଗ୍ନି ଉଦ୍‌ଗୀରଣ ଏବଂ ଖାଦ୍ୟାଭାବ ଇତ୍ୟାଦି ପାଇଁ ଜୈବବିବିଧତା ପାଞ୍ଚ-ପାଞ୍ଚଟି ସାମୂହିକ ବିଲୋପର ସମ୍ମୁଖୀନ ହେଲା। ଫଳରେ ଏକଦା ପୃଥିବୀରେ ବସବାସ କରୁଥିବା ମୋଟ୍‌ ପ୍ରଜାତିର ୯୯.୯ ପ୍ରତିଶତ ବିଲୁପ୍ତ ହୋଇଗଲେ, ଯେଉଁମାନଙ୍କର ସଂଖ୍ୟା ୫୦୦ କୋଟିରୁ ଊର୍ଦ୍ଧ୍ୱ ହେବ। ମାତ୍ର ବର୍ତ୍ତମାନ ପୃଥିବୀରେ ଦେଖାଯାଉଥିବା ପ୍ରଜାତି ୧୦ରୁ ୧୪ ନିୟୁତ ହେବ ବୋଲି ଆକଳନ କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧.୨ ନିୟୁତ ପ୍ରଜାତି ଚିହ୍ନିତ ଏବଂ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରଜାତି ଆବିଷ୍କାର ହୋଇନାହାନ୍ତି କିମ୍ବା ଏମାନଙ୍କ ବିଷୟରେ କିଛି ତଥ୍ୟ ଉପଲବ୍‌ଧ ନାହିଁ। ଜୈବବିବିଧତାର ଏପରି ସ୍ଥିତିରେ ଏହା ଯେପରି ମଣିଷର ଆଢୁଆଳରେ ଦ୍ରୁତ ଗତିରେ ନଷ୍ଟ ହୋଇଚାଲିଛି ତାହା ଚିନ୍ତାର ବିଷୟ।
ଅତୀତରେ ଅର୍ଥାତ୍‌ ମଣିଷ ସୃଷ୍ଟି ପୂର୍ବରୁ ଜୈବବିବିଧତାର ଉତ୍ଥାନପତନ ପ୍ରାକୃତିକ ଉପାୟରେ ସଂଘଟିତ ହୋଇଆସୁଥିଲା। ମାତ୍ର ଜୈବମଣ୍ଡଳରେ ମଣିଷର କର୍ତ୍ତୃତ୍ୱ ବୃଦ୍ଧି ପାଇବା ପରେ ଜୈବବିବିଧତା ପ୍ରତି ବିପଦ ବଢ଼ିବାରେ ଲାଗିଛି। ପ୍ରକୃତି ଉପରେ ମଣିଷର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଅନେକ ଜୀବପ୍ରଜାତି ପରିବେଶରେ ଆଉ ଦୃଷ୍ଟିଗୋଚର ହେଉନାହାନ୍ତି। ଜୈବବିବିଧତା ଅନ୍ୟତମ ସାମୂହିକ ବିଲୋପ ଆଡ଼କୁ ଅଗ୍ରସର ହୋଇଚାଲିଛି। ଏଥିରେ ମଣିଷର ପ୍ରଚ୍ଛନ୍ନ ହାତ ରହିଥିବାରୁ ଏହାକୁ ଆନ୍ଥ୍ରୋପସିନ୍‌ ବା ହଲୋସିନ୍‌ ସାମୂହିକ ବିଲୋପ କୁହାଯାଉଛି। ୪୦ ହଜାର ପ୍ରଜାତିର ୪୦ ପ୍ରତିଶତ ଜୀବ ବିଲୁପ୍ତି ପଥରେ ଥିବାର ଆକଳନ କରାଯାଉଛି। ଜୈବବିବିଧତା ଏବଂ ପରିସଂସ୍ଥା ସେବା ଉପରେ ଆନ୍ତଃସରକାରୀ ବିଜ୍ଞାନ ନୀତି ମଞ୍ଚ (IPBES)ର ୨୦୧୯ର ରିପୋର୍ଟ ଅନୁସାରେ କେବଳ ମଣିଷର କାର୍ଯ୍ୟକଳାପ ପାଇଁ ୨୫ ପ୍ରତିଶତ ଜୀବ ଓ ବୃକ୍ଷ ପ୍ରଜାତି ବିଲୁପ୍ତିପ୍ରାୟ ସ୍ଥିତିକୁ ଚାଲିଯାଇଛନ୍ତି।
ଦେଖିବାକୁ ଗଲେ ମଣିଷର ଜୀବନ-ଜୀବିକା ନିର୍ବାହ ପ୍ରକ୍ରିୟାରେ ପ୍ରକୃତି-ପରିବେଶ ପରିସଂସ୍ଥା ଉପରେ ମାତ୍ରାଧିକ ଦମନ ହିଁ ଜୈବବିବିଧତାକୁ ସଙ୍କଟରେ ପକାଉଛି। ଜୀବଜନ୍ତୁଙ୍କ ବାସସ୍ଥାନ ନଷ୍ଟ ବା ବଳପୂର୍ବକ ଦଖଲ ସେମାନଙ୍କ ପାଇଁ ବଡ଼ ବିନାଶକ ଭାବେ ଉଭା ହୋଇଛି। ଏଥିସହିତ ଯୋଡ଼ି ହୋଇଯାଇଛି ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ। ପରିସଂସ୍ଥାରେ ଆଧିପତ୍ୟ ବିସ୍ତାରକରି ମାଡ଼ିଯାଉଥିବା ପ୍ରଜାତିଙ୍କୁ ପ୍ରୋତ୍ସାହିତ କରିବାରେ ଆନୁବଂଶୀୟ ରୂପାନ୍ତରିତ ପ୍ରଜାତିଙ୍କ ବହୁଳ ନିୟୋଜନରେ ମୂଳବାସିନ୍ଦା ଜୀବଜନ୍ତୁଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। କୃଷି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବାଣିଜି୍ୟକ କୃଷିରେ ଅଧିକ ଲାଭବାନ ହେବା ଆଶାରେ ଗୋଟିଏ ପ୍ରକାର ପ୍ରଜାତିର ଚାଷ ଦ୍ୱାରା ଅନେକ ପାରମ୍ପରିକ ତଥା ସ୍ଥାନୀୟ ପ୍ରଜାତିଙ୍କ ବିନାଶ ଘଟୁଛି। ଜୈବବିବିଧତା ନିମ୍ନଗାମୀ ହେଲେ ପରିସଂସ୍ଥାର ଉତ୍ପାଦକ କ୍ଷମତା ହ୍ରାସ ପାଇଥାଏ। ଜୈବବିବିଧତା ସଙ୍କୁଚିତ ହେଲେ ପରିସଂସ୍ଥାରେ ଗତାନୁଗତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ସହିତ ଜୀବଜାତି ନଷ୍ଟ ହୋଇଯାଇଥାନ୍ତି। ପ୍ରଜାତି ଅପସାରଣର ଶେଷସୀମା ପାର ହୋଇଗଲେ ପରିସଂସ୍ଥା ସମ୍ପୂର୍ଣ୍ଣ ଅସ୍ଥିର ଏବଂ ବିଗଳିତ ହୋଇଯାଏ। କେତୋଟି ମାତ୍ର ଅଧିକ ଅମଳକ୍ଷମ ଖାଦ୍ୟଶସ୍ୟ ଉପରେ ନିର୍ଭର କରି ୧୯୦୦ ମସିହାରୁ ଆମେ ଏପର୍ଯ୍ୟନ୍ତ ପ୍ରାୟ ୭୫ ପ୍ରତିଶତ ବିଭିନ୍ନ ପ୍ରକାର ଶସ୍ୟ ହରାଇ ସାରିଲୁଣି। ଯଦି ସେଇ କେତୋଟି ଶସ୍ୟ ରୋଗ, ପୋକ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନଷ୍ଟ ହୋଇଯାଏ, ତେବେ ଆମର ଖାଦ୍ୟ ନିରାପତ୍ତା କ’ଣ ହେବ, ତାହା ଚିନ୍ତାର ବିଷୟ। ସମାନ ଅବସ୍ଥା ପଶୁ ସମ୍ପଦ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଜୀବଜଗତ ପାଇଁ ଜୈବବିବିଧତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ୨୦୧୧-୨୦୨୦ ମସିହାର ଅବଧିକୁ ଜୈବବିବିଧତାର ଦଶନ୍ଧି ଏବଂ ୨୦୨୧-୨୦୩୦ ମସିହାର ଅବଧିକୁ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି ଭାବେ ଘୋଷିତ କରିଛି। ୨୦୨୦ ମସିହା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମଧ୍ୟ ଜୈବବିବିଧତାକୁ ବିଷୟବସ୍ତୁ ଭାବେ ଗ୍ରହଣ କରାଯାଇଛି। ଏହାଦ୍ୱାରା ଜୈବବିବିଧତା ବିଷୟରେ ଜନସାଧାରଣଙ୍କ ସମ୍ୟକ୍‌ ଧାରଣା ସୃଷ୍ଟି ହେବା ସହିତ ଏହାର ସଂରକ୍ଷଣ ପ୍ରତି ସେମାନେ ସଚେତନ ଓ ପ୍ରଯତ୍ନ ହୋଇପାରିବେ। ଜୈବବିବିଧତା ପରିପୂର୍ଣ୍ଣ ସ୍ଥାନ (ହଟ୍‌ସ୍ପଟ୍‌) ଏବଂ ସ୍ଥାନିକ ପ୍ରଜାତି (ଏଣ୍ଡେମିକ୍‌ ସ୍ପେସିସ୍‌)ଙ୍କ ଆବାସ ସ୍ଥଳୀକୁ ପ୍ରଧାନ୍ୟପୂର୍ବକ ସଂରକ୍ଷଣ କରାଯିବା ଉଚିତ। ମଣିଷ ଅବାଧ ଶିକାର, ଜଙ୍ଗଲକଟା, ମାତ୍ରାଧିକ ମାଛମରା ଆଦି ପ୍ରବୃତ୍ତିଗତ ବୃତ୍ତିରୁ ନିବୃତ୍ତ ରହିବା ଦରକାର। ବ୍ୟବସାୟିକ ଫାଇଦା ପାଇଁ ଏକକ କୃଷି ବା କେବଳ ଗୋଟିଏ ପ୍ରକାରର କୃଷିଦ୍ରବ୍ୟ ଉତ୍ପାଦନରୁ ବିରତ ରହିବା ସହ ବିଲୁପ୍ତପ୍ରାୟ ଜୀବଙ୍କର ଆବଦ୍ଧ ପ୍ରଜନନ (କାପ୍ଟିଭ୍‌ ବ୍ରିଡିଙ୍ଗ) ପ୍ରସାରଣ କରିପାରିଲେ ଆମେ ଜୈବବିବିଧତାକୁ ରକ୍ଷା କରିପାରିବା।

ମୋ: ୯୮୬୧୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri