ବିପଦରେ ଜୈବବିବିଧତା

ଡ. ଦେବାନନ୍ଦ ବେଉରା

ଜୈବବିବିଧତା କହିଲେ ଜୀବ ପ୍ରଜାତିର ପ୍ରକାର ଓ ପ୍ରସାରଣକୁ ବୁଝାଏ। ପୃଥିବୀରେ ଅନେକ ଜାତି ଓ ପ୍ରଜାତିର ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ ଏବଂ ଅଣୁଜୀବ ଦେଖାଯାଆନ୍ତି। ପ୍ରତ୍ୟେକ ନିଜର ବାସସ୍ଥାନ, ଖାଦ୍ୟାଭ୍ୟାସ ଓ ଜୀବନଚକ୍ର ଅନୁଯାୟୀ ଗୋଟେ ଗୋଟେ ପରିସଂସ୍ଥା ସହିତ ଅନୁବନ୍ଧିତ ହୋଇ ରହିଥାନ୍ତି। ଆମ ଚତୁଃପାର୍ଶ୍ୱରେ ଏସବୁ ଜୀବ ପାରସ୍ପରିକ କ୍ରିୟା, ପ୍ରତିକ୍ରିୟା, ନିର୍ଭରଶୀଳତା ମାଧ୍ୟମରେ ଜୈବମଣ୍ଡଳକୁ ସକ୍ରିୟ ଓ ସଂଗଠିତ କରି ରଖିଥାନ୍ତି। ପ୍ରକୃତିରେ ବସବାସ କରୁଥିବା ଏହି ଭିନ୍ନ ଭିନ୍ନ ପ୍ରକାରର ଅସଂଖ୍ୟ ଜୀବଜନ୍ତୁ ଗଛଲତାଙ୍କ ସମାହାରକୁ ଜୈବବିବିଧତାର ମାନ୍ୟତା ଦିଆଯାଇଛି।
ଜୈବବିବିଧତା ପରିସଂସ୍ଥୀୟ ସେବାର ଭିତ୍ତିଭୂମି ସ୍ବରୂପ ମଣିଷର ଅନେକ ଉପକାର କରିଥାଏ। ଅଲଗା ଅଲଗା ପରିସଂସ୍ଥାରେ ଅସଂଖ୍ୟ ଜୀବ-ବୃକ୍ଷ-କୀଟ ସେମାନଙ୍କ ସାମୂହିକ ଜୈବପ୍ରକ୍ରିୟା ଦ୍ୱାରା ଜଳ-ସ୍ଥଳ-ବାୟୁମଣ୍ଡଳକୁ ସମ୍ମେଳନ କରି ପରିବେଶୀୟ ପ୍ରଣାଳୀ ରଚନା କରନ୍ତି। ଏଥିରେ ସମସ୍ତଙ୍କର ସମ୍ମିଳିତ ପ୍ରୟାସର ପରିପ୍ରକାଶ ହେଉଛି ବିଶୁଦ୍ଧ ବାୟୁ, ନିର୍ମଳ ଜଳ, ଉର୍ବର ମୃତ୍ତିକା, ପ୍ରଶସ୍ତ ସମୁଦ୍ର, ଉପାଦେୟ ଭୂମି ତଥା ଖାପଖୁଆଇଲା ଭଳି ଜଳବାୟୁ। ଏସବୁ ପ୍ରାକୃତିକ ସମ୍ପଦ ଓ ସଂସ୍ଥାନର ବଡ଼ ହିତାଧିକାରୀ ହେଉଛି ମଣିଷ। ଅନ୍ୟ ପ୍ରାଣୀଙ୍କ ଜୀବନଶୈଳୀ ପ୍ରକୃତି ପ୍ରାୟୋଜିତ ହୋଇଥିବାସ୍ଥଳେ ମଣିଷ ନିଜର ବିବେକ କିମ୍ବା ଇଚ୍ଛାନୁଯାୟୀ ପ୍ରକୃତି ଓ ପରିସଂସ୍ଥାକୁ ବ୍ୟବହାର କରିଥାଏ। ଏଣୁ ଜୈବବିବିଧତା ଉପରେ ମଣିଷ କାର୍ଯ୍ୟାବଳୀର ପ୍ରଭାବ ସିଧାସଳଖ ପଡ଼ିବା ସ୍ବାଭାବିକ।
ପୃଥିବୀ ସୃଷ୍ଟିର ଆରମ୍ଭରୁ ବ୍ୟାକ୍ଟେରିଆ ଭଳି ଏକକୋଷୀ ଜୀବ ଓ ପରେ ବିବର୍ତ୍ତନବାଦରେ ସୃଷ୍ଟି ହେଲେ ଅନେକ ଜୀବଜନ୍ତୁ ଓ ଗଛଲତା। ୪୫୦୦ ନିୟୁତ ବୟସ୍କ ପୃଥିବୀରେ ୩୫୦୦ ନିୟୁତ ବର୍ଷ ବେଳକୁ ଜୀବ ଆବିର୍ଭାବ ଘଟେ, ଯାହା ବିବାଦମୁକ୍ତ ଜୀବାଶ୍ମ ଦ୍ୱାରା ପ୍ରମାଣିତ। ଜୀବଙ୍କ ଜାତି ପ୍ରଜାତିର ସମ୍ପ୍ରସାରଣ ଘଟି ଜୈବମଣ୍ଡଳ ପରିପୁଷ୍ଟ ହେବା ସହିତ ଜୈବବିବିଧତାର ସ୍ବରୂପ ସୃଷ୍ଟି କରେ। ଜୈବ ଇତିହାସର ଗୋଟିଏ କାଳରେ ଅର୍ଥାତ୍‌ ଫାନେରୋଜୋଇକ୍‌ ସମୟରେ ଜୈବବିବିଧତାର ବୃଦ୍ଧି ସର୍ବାଗ୍ରେ ପହଞ୍ଚତ୍ଥିଲା। ପରବର୍ତ୍ତୀ ସମୟରେ ଅନେକ ପ୍ରାକୃତିକ କାରଣ ଯଥା ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ପତ୍ତନ ବୃଦ୍ଧି, ପ୍ରବଳ ଓ ପ୍ରଚଣ୍ଡ ଉଲ୍‌କାପାତ, ଅଗ୍ନି ଉଦ୍‌ଗୀରଣ ଏବଂ ଖାଦ୍ୟାଭାବ ଇତ୍ୟାଦି ପାଇଁ ଜୈବବିବିଧତା ପାଞ୍ଚ-ପାଞ୍ଚଟି ସାମୂହିକ ବିଲୋପର ସମ୍ମୁଖୀନ ହେଲା। ଫଳରେ ଏକଦା ପୃଥିବୀରେ ବସବାସ କରୁଥିବା ମୋଟ୍‌ ପ୍ରଜାତିର ୯୯.୯ ପ୍ରତିଶତ ବିଲୁପ୍ତ ହୋଇଗଲେ, ଯେଉଁମାନଙ୍କର ସଂଖ୍ୟା ୫୦୦ କୋଟିରୁ ଊର୍ଦ୍ଧ୍ୱ ହେବ। ମାତ୍ର ବର୍ତ୍ତମାନ ପୃଥିବୀରେ ଦେଖାଯାଉଥିବା ପ୍ରଜାତି ୧୦ରୁ ୧୪ ନିୟୁତ ହେବ ବୋଲି ଆକଳନ କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧.୨ ନିୟୁତ ପ୍ରଜାତି ଚିହ୍ନିତ ଏବଂ ୮୬ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରଜାତି ଆବିଷ୍କାର ହୋଇନାହାନ୍ତି କିମ୍ବା ଏମାନଙ୍କ ବିଷୟରେ କିଛି ତଥ୍ୟ ଉପଲବ୍‌ଧ ନାହିଁ। ଜୈବବିବିଧତାର ଏପରି ସ୍ଥିତିରେ ଏହା ଯେପରି ମଣିଷର ଆଢୁଆଳରେ ଦ୍ରୁତ ଗତିରେ ନଷ୍ଟ ହୋଇଚାଲିଛି ତାହା ଚିନ୍ତାର ବିଷୟ।
ଅତୀତରେ ଅର୍ଥାତ୍‌ ମଣିଷ ସୃଷ୍ଟି ପୂର୍ବରୁ ଜୈବବିବିଧତାର ଉତ୍ଥାନପତନ ପ୍ରାକୃତିକ ଉପାୟରେ ସଂଘଟିତ ହୋଇଆସୁଥିଲା। ମାତ୍ର ଜୈବମଣ୍ଡଳରେ ମଣିଷର କର୍ତ୍ତୃତ୍ୱ ବୃଦ୍ଧି ପାଇବା ପରେ ଜୈବବିବିଧତା ପ୍ରତି ବିପଦ ବଢ଼ିବାରେ ଲାଗିଛି। ପ୍ରକୃତି ଉପରେ ମଣିଷର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଚାଲିଛି। ଅନେକ ଜୀବପ୍ରଜାତି ପରିବେଶରେ ଆଉ ଦୃଷ୍ଟିଗୋଚର ହେଉନାହାନ୍ତି। ଜୈବବିବିଧତା ଅନ୍ୟତମ ସାମୂହିକ ବିଲୋପ ଆଡ଼କୁ ଅଗ୍ରସର ହୋଇଚାଲିଛି। ଏଥିରେ ମଣିଷର ପ୍ରଚ୍ଛନ୍ନ ହାତ ରହିଥିବାରୁ ଏହାକୁ ଆନ୍ଥ୍ରୋପସିନ୍‌ ବା ହଲୋସିନ୍‌ ସାମୂହିକ ବିଲୋପ କୁହାଯାଉଛି। ୪୦ ହଜାର ପ୍ରଜାତିର ୪୦ ପ୍ରତିଶତ ଜୀବ ବିଲୁପ୍ତି ପଥରେ ଥିବାର ଆକଳନ କରାଯାଉଛି। ଜୈବବିବିଧତା ଏବଂ ପରିସଂସ୍ଥା ସେବା ଉପରେ ଆନ୍ତଃସରକାରୀ ବିଜ୍ଞାନ ନୀତି ମଞ୍ଚ (IPBES)ର ୨୦୧୯ର ରିପୋର୍ଟ ଅନୁସାରେ କେବଳ ମଣିଷର କାର୍ଯ୍ୟକଳାପ ପାଇଁ ୨୫ ପ୍ରତିଶତ ଜୀବ ଓ ବୃକ୍ଷ ପ୍ରଜାତି ବିଲୁପ୍ତିପ୍ରାୟ ସ୍ଥିତିକୁ ଚାଲିଯାଇଛନ୍ତି।
ଦେଖିବାକୁ ଗଲେ ମଣିଷର ଜୀବନ-ଜୀବିକା ନିର୍ବାହ ପ୍ରକ୍ରିୟାରେ ପ୍ରକୃତି-ପରିବେଶ ପରିସଂସ୍ଥା ଉପରେ ମାତ୍ରାଧିକ ଦମନ ହିଁ ଜୈବବିବିଧତାକୁ ସଙ୍କଟରେ ପକାଉଛି। ଜୀବଜନ୍ତୁଙ୍କ ବାସସ୍ଥାନ ନଷ୍ଟ ବା ବଳପୂର୍ବକ ଦଖଲ ସେମାନଙ୍କ ପାଇଁ ବଡ଼ ବିନାଶକ ଭାବେ ଉଭା ହୋଇଛି। ଏଥିସହିତ ଯୋଡ଼ି ହୋଇଯାଇଛି ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ। ପରିସଂସ୍ଥାରେ ଆଧିପତ୍ୟ ବିସ୍ତାରକରି ମାଡ଼ିଯାଉଥିବା ପ୍ରଜାତିଙ୍କୁ ପ୍ରୋତ୍ସାହିତ କରିବାରେ ଆନୁବଂଶୀୟ ରୂପାନ୍ତରିତ ପ୍ରଜାତିଙ୍କ ବହୁଳ ନିୟୋଜନରେ ମୂଳବାସିନ୍ଦା ଜୀବଜନ୍ତୁଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। କୃଷି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବାଣିଜି୍ୟକ କୃଷିରେ ଅଧିକ ଲାଭବାନ ହେବା ଆଶାରେ ଗୋଟିଏ ପ୍ରକାର ପ୍ରଜାତିର ଚାଷ ଦ୍ୱାରା ଅନେକ ପାରମ୍ପରିକ ତଥା ସ୍ଥାନୀୟ ପ୍ରଜାତିଙ୍କ ବିନାଶ ଘଟୁଛି। ଜୈବବିବିଧତା ନିମ୍ନଗାମୀ ହେଲେ ପରିସଂସ୍ଥାର ଉତ୍ପାଦକ କ୍ଷମତା ହ୍ରାସ ପାଇଥାଏ। ଜୈବବିବିଧତା ସଙ୍କୁଚିତ ହେଲେ ପରିସଂସ୍ଥାରେ ଗତାନୁଗତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ସହିତ ଜୀବଜାତି ନଷ୍ଟ ହୋଇଯାଇଥାନ୍ତି। ପ୍ରଜାତି ଅପସାରଣର ଶେଷସୀମା ପାର ହୋଇଗଲେ ପରିସଂସ୍ଥା ସମ୍ପୂର୍ଣ୍ଣ ଅସ୍ଥିର ଏବଂ ବିଗଳିତ ହୋଇଯାଏ। କେତୋଟି ମାତ୍ର ଅଧିକ ଅମଳକ୍ଷମ ଖାଦ୍ୟଶସ୍ୟ ଉପରେ ନିର୍ଭର କରି ୧୯୦୦ ମସିହାରୁ ଆମେ ଏପର୍ଯ୍ୟନ୍ତ ପ୍ରାୟ ୭୫ ପ୍ରତିଶତ ବିଭିନ୍ନ ପ୍ରକାର ଶସ୍ୟ ହରାଇ ସାରିଲୁଣି। ଯଦି ସେଇ କେତୋଟି ଶସ୍ୟ ରୋଗ, ପୋକ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନଷ୍ଟ ହୋଇଯାଏ, ତେବେ ଆମର ଖାଦ୍ୟ ନିରାପତ୍ତା କ’ଣ ହେବ, ତାହା ଚିନ୍ତାର ବିଷୟ। ସମାନ ଅବସ୍ଥା ପଶୁ ସମ୍ପଦ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଜୀବଜଗତ ପାଇଁ ଜୈବବିବିଧତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ୨୦୧୧-୨୦୨୦ ମସିହାର ଅବଧିକୁ ଜୈବବିବିଧତାର ଦଶନ୍ଧି ଏବଂ ୨୦୨୧-୨୦୩୦ ମସିହାର ଅବଧିକୁ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି ଭାବେ ଘୋଷିତ କରିଛି। ୨୦୨୦ ମସିହା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମଧ୍ୟ ଜୈବବିବିଧତାକୁ ବିଷୟବସ୍ତୁ ଭାବେ ଗ୍ରହଣ କରାଯାଇଛି। ଏହାଦ୍ୱାରା ଜୈବବିବିଧତା ବିଷୟରେ ଜନସାଧାରଣଙ୍କ ସମ୍ୟକ୍‌ ଧାରଣା ସୃଷ୍ଟି ହେବା ସହିତ ଏହାର ସଂରକ୍ଷଣ ପ୍ରତି ସେମାନେ ସଚେତନ ଓ ପ୍ରଯତ୍ନ ହୋଇପାରିବେ। ଜୈବବିବିଧତା ପରିପୂର୍ଣ୍ଣ ସ୍ଥାନ (ହଟ୍‌ସ୍ପଟ୍‌) ଏବଂ ସ୍ଥାନିକ ପ୍ରଜାତି (ଏଣ୍ଡେମିକ୍‌ ସ୍ପେସିସ୍‌)ଙ୍କ ଆବାସ ସ୍ଥଳୀକୁ ପ୍ରଧାନ୍ୟପୂର୍ବକ ସଂରକ୍ଷଣ କରାଯିବା ଉଚିତ। ମଣିଷ ଅବାଧ ଶିକାର, ଜଙ୍ଗଲକଟା, ମାତ୍ରାଧିକ ମାଛମରା ଆଦି ପ୍ରବୃତ୍ତିଗତ ବୃତ୍ତିରୁ ନିବୃତ୍ତ ରହିବା ଦରକାର। ବ୍ୟବସାୟିକ ଫାଇଦା ପାଇଁ ଏକକ କୃଷି ବା କେବଳ ଗୋଟିଏ ପ୍ରକାରର କୃଷିଦ୍ରବ୍ୟ ଉତ୍ପାଦନରୁ ବିରତ ରହିବା ସହ ବିଲୁପ୍ତପ୍ରାୟ ଜୀବଙ୍କର ଆବଦ୍ଧ ପ୍ରଜନନ (କାପ୍ଟିଭ୍‌ ବ୍ରିଡିଙ୍ଗ) ପ୍ରସାରଣ କରିପାରିଲେ ଆମେ ଜୈବବିବିଧତାକୁ ରକ୍ଷା କରିପାରିବା।

ମୋ: ୯୮୬୧୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri