ବିଧାନସଭାର ପ୍ରଥମ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରଲୋକଗତ ସଦସ୍ୟ ତଥା ପୂର୍ବତନ ସିଆର୍‌ପିଏଫ୍‌ କନଷ୍ଟେବଳଙ୍କ ବିୟୋଗରେ ଗୃହରେ ଶୋକ କରାଯାଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଅଭିଭାଷଣ ରଖିଥିଲେ। ଏହାପରେ ପୂର୍ବାହ୍ନ ୧୧ଟା ୨୫ ମିନିଟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୋକ ପ୍ରସ୍ତାବ ଆଗତ କରିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଓ୍ବାଲ, ଗଙ୍ଗାଧର ପ୍ରଧାନ, ବିଧାନସଭାର ପୂର୍ବତନ ସଦସ୍ୟ ଦ୍ୱିତୀକୃଷ୍ଣ ପଣ୍ଡା, ଚନ୍ଦ୍ରଶେଣା ନାୟକ, ପରିକ୍ଷିତ କର୍ଣ୍ଣ ଏବଂ ସିଆର୍‌ପିଏଫ୍‌ର ପୂର୍ବତନ କନଷ୍ଟେବଳ ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ବେହେରା, ରାଷ୍ଟ୍ରୀୟ ରାଇଫଲ୍‌ସର ପୂର୍ବତନ ନାଏକ ଅଜିତ୍‌ କୁମାର ସାହୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ ଦିବଂଗତ ସଦସ୍ୟ ଓ ଯବାନମାନଙ୍କ ସ୍ମୃତିଚାରଣ କରିବା ସହିତ ସେମାନଙ୍କର ସକ୍ଷିପ୍ତ ଜୀବନୀ ବିଷୟରେ ଉଲ୍ଲେଖ କରିଥିଲେ। ଏଥିସହିତ ସ୍ବର୍ଗତ ସଦସ୍ୟ ଓ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସମର୍ଥନ କରିବା ସହିତ ଦିବଂଗତ ସଦସ୍ୟ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭାରତୀୟ ଜନତା ଦଳ ପକ୍ଷରୁ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ସିପିଆଇଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶେଷରେ ବାଚସ୍ପତି ବିଧାନସଭାର ସ୍ବର୍ଗତ ସଦସ୍ୟ ଓ ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ୨୮ ମିନିଟ ଧରି ଗୃହରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।