‘ବିଦ୍ୟୁତ୍‌ ଖର୍ଚ୍ଚରୁ ମୁକ୍ତି ଦେବ ସୋଲାର ପ୍ରକଳ୍ପ’

ପୁରୀ ଅଫିସ,୧୧।୮: ପୁରୀ କଚେରିରୋଡସ୍ଥିତ ସେସୁ କାର୍ଯ୍ୟାଳୟଠାରେ ଟାଟା ପାୱାର ସୋଲାର ସିଷ୍ଟମ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଥିଲେ, ଦେଶର ୨୯ଟି ରାଜ୍ୟର ୧୦୦ଟି ସହରରେ ଏହି ଯୋଜନା ସଫଳତା ହାସଲ କରିଛି। ଏବେ ଓଡ଼ିଶାବାସୀ ଏହାର ବ୍ୟବହାର ଦ୍ୱାରା ପରିବେଶ ଅନୁକୂଳ ଶକ୍ତି ପାଇବା ସହ ବିଦ୍ୟୁତ୍‌ ଖର୍ଚ୍ଚରୁ ବଞ୍ଚତ୍ତ ହୋଇପାରିବେ। ଜନସାଧାରଣ ନିଜ ନିଜ ଛାତରେ ଏହି ପ୍ରକଳ୍ପ ସ୍ଥାପନ କରି ୫ କିଲୋୱାଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶକ୍ତି ପାଇବା ସହ ବାର୍ଷିକ ୫୦ହଜାର ଟଙ୍କା ସଞ୍ଚୟ କରିପାରିବେ। ଏହି ଅବସରରେ ମନ୍ତ୍ରୀ ସେସୁ କାର୍ଯ୍ୟାଳୟ ଓ ଟେକ୍‌ନିକାଲ ୟୁନିଟ୍‌ ପରିଦର୍ଶନ କରିବା ସହ ଗ୍ରୋ-ଗ୍ରୀନ ବୋର୍ଡରେ ନିଜ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ସେସୁ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପି.କେ. ସାହୁ, ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।