Categories: ଖେଳ

ବିଦେଶ ଲିଗ୍‌ରେ ଖେଳିପାରନ୍ତି ପ୍ରାକ୍ତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ ମାସ ୨୨ ତାରିଖରେ ଲଣ୍ଡନଠାରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ତାଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳରେ ନେଲେ ସେ ପ୍ରଥମ ପୁରୁଷ ଭାରତୀୟ ଖେଳାଳି ଭାବେ ବିଦେଶ ଲିଗ୍‌ରେ ଖେଳିବେ। ତେବେ ତାଙ୍କୁ ବିସିସିଆଇଠାରୁ ଏନ୍‌ଓସି ଦରକାର ପଡ଼ିବ। ବିଦେଶ ଲିଗ୍‌ରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସର୍ବଦା ମନା କରିଆସିଛି। ଏଣୁ ପଠାନଙ୍କୁ ଏନ୍‌ସିଓ ମିଳିବାର ଖୁବ କମ୍‌ ସମ୍ଭାବନା ରହିଛି। ୩୪ ବର୍ଷୀୟ ଅଲରାଉଣ୍ଡର ଗତ ଦୁଇ ବର୍ଷ ହେଲା ଆଇପିଏଲ ଖେଳୁ ନାହାନ୍ତି। ସେ ଅନ୍ତିମ ଥର ୨୦୧୭ରେ ଗୁଜରାଟ ଲାୟନ୍ସ ପାଇଁ ଖେଳିଥିଲେ। ଏହି ଭେଟେରାନ ଖେଳାଳି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଜମ୍ମୁ କଶ୍ମୀର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ବିଦେଶୀ ଖେଳାଳିଙ୍କ ଡ୍ରାଫ୍ଟରେ ସ୍ଥାନ ପାଇଛନ୍ତି। ଏଥିରେ ୨୦ ଦେଶର ୫୩୬ ଖେଳାଳି ସିପିଏଲ ଖେଳିବା ପାଇଁ ଉପଲବ୍ଧ ରହିବେ। ଆଗାମୀ ସିପିଏଲ ସେପ୍ଟେମ୍ବର ୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି।

Share