Categories: ଖେଳ

ବିଦେଶୀ ଖେଳାଳି ହ୍ରାସ ପାଇଁ ସୁପାରିସ

ନୂଆଦିଲ୍ଲୀ, ୯ା୫ (ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍‌ନିକାଲ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାବର୍ଷରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ରେ ପ୍ରତ୍ୟେକ ଦଳକୁ ସର୍ବାଧିକ ୫ ପରିବର୍ତ୍ତେ ୪ ବିଦେଶୀ ଖେଳାଳି ଖେଳାଇବା ଅନୁମତି ପାଇଁ କମିଟି ସୁପାରିସ କରିଛି। ଆଇଏସ୍‌ଏଲ ଓ ଆଇ-ଲିଗ୍‌ରେ ଅଧିକ ସଂଖ୍ୟାରେ ବିଦେଶୀ ଖେଳାଳିଙ୍କୁ ଖେଳାଯାଉଥିବାରୁ ମାର୍ଚ୍ଚରେ ଭାରତର ମୁଖ୍ୟ କୋଚ୍‌ ଇଗୋର୍‌ ଷ୍ଟିମାକ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାଦ୍ୱାରା ଭବିଷ୍ୟତରେ ସୁନୀଲ ଛେତ୍ରୀଙ୍କ ଭଳି ଖେଳାଳି ସୃଷ୍ଟିରେ ବାଧା ଉପୁଜିବ ବୋଲି ସେ କହିଥିଲେ। ଆଇଏସ୍‌ଏଲ୍‌ ଓ ଆଇ-ଲିଗ୍‌ରେ ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ନିୟମାନୁସାରେ ୫ ପରିବର୍ତ୍ତେ ସର୍ବାଧିକ ୪ ଖେଳାଳିଙ୍କୁ ଅନୁମତି ଦିଆଯିବା ଉଚିତ୍‌। ଶ୍ୟାମ ଥାପ୍ପାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩+୧ (ତିନି ଅଣଏସୀୟ ଓ ଜଣେ ଏସୀୟ) ନିୟମକୁ କାର୍ଯ୍ୟକାରୀ କରିବା ଲାଗି ସୁପାରିସ ହୋଇଥିଲା।

Share