ବିଜୟ ପରେ ପରସ୍ପରକୁ ଅଭିନନ୍ଦନ

ଭୁବନେଶ୍ୱର,୨୪-୫- (ବ୍ୟୁରୋ):ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ନିର୍ବାଚିତ ହୋଇଛନ୍ତି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟର ବିଧାନସଭା ଆସନଗୁଡିକରେ ବିଜେଡି ଉତ୍ତମ ପ୍ରଦର୍ଶନ କରିଛି। ନବୀନଙ୍କ ଏହି ସଫଳତାକୁ ନେଇ ଚାରିଆଡୁ ଧନ୍ୟବାଦର ସୁଅ ଛୁଟୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଥମେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ମାଧ୍ୟମରେ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପୁଣିଥରେ ବିଜୟ ପାଇଁ ନବୀନବାବୁଙ୍କୁ ଅଭିନନ୍ଦନ। ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଉଭୟ ଓଡ଼ିଆ ଏବଂ ଇଂଲିଶରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍‌ର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ୍‌ରେ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି। କେନ୍ଦ୍ରରେ ଲଗାତର ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ ହେବାକୁ ଯାଉଛି। ଏହି ସଫଳତା ପାଇଁ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ମଧ୍ୟ ନବୀନଙ୍କ ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।