ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ରାଜ୍ୟ ରାଜନୀତିର ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ରାଜନୈତିକ ତାତି ବଢ଼ିବାରେ ଲାଗିଛି।

 

ଶୁକ୍ରବାର ଭାଜପା ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଏନ୍‌ଏସି ଅଞ୍ଚଳରେ ଘର ଘର ବୁଲି  ଭୋଟଭିକ୍ଷା କରିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଭୋଟ ମାଗିଥିଲେ। ତାଙ୍କ ସହ ନୂତନ ଭାବେ ଦଳରେ ସାମିଲ ହୋଇଥିବା ବସ୍‌ ମାଲିକ  ସଂଘ ସଭାପତି ଲଛମନ ଜେନା, ସମ୍ପାଦକ ଅଶ୍ୱିନୀ ମହାପାତ୍ର, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, ସନ୍ଦୀପ ପଟ୍ଟନାୟକ, ସଞ୍ଜୀବ ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ସେହିପରି  ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଧ୍ୟ ବିଭିନ୍ନ ପଞ୍ଚାୟତରେ ମହିଳାପୁରୁଷଙ୍କୁ ଏକାଠି କରି ସଭା କରିଛନ୍ତି। କିଭଳି ମତଦାନ କରିବେ ସେ ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ଭାବେ ବୁଝାଇଥିଲେ। ଶୋଭାଯାତ୍ରାରେ ଜିଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ଦୈତାରି ସାହୁ, ମଦନ ବେହେରାଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।