ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଜୀବଗୁଡ଼ିକ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନେ ପ୍ରକୃତରେ କେଉଁ ପ୍ରଜାତିର, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ଭୋଗରାଇ ସମୁଦ୍ରକୂଳକୁ ଲାଗି ବିଚିତ୍ରପୁର ଜଙ୍ଗଲ ରହିଛି। ସବୁଦିନ ଭଳି ଜଙ୍ଗଲ ନିକଟବର୍ତ୍ତୀ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ହଠାତ୍ ଜଙ୍ଗଲ ଭିତରେ କିଛି ଅଜଣା ଜୀବଙ୍କୁ ଦେଖିଥିଲେ। ଦେଖିବାକୁ ସେମାନେ ବଣମଣିଷ ଭଳି ଲାଗୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଥିଲା।
ଜଙ୍ଗଲ ମଧ୍ୟରେ ଜୀବଗୁଡ଼ିକର ଗତିବିଧି ଦେଖିବା ପରେ ଖବରଟି ଧୀରେଧୀରେ ଚାରିଆଡ଼େ ପ୍ରଚାରିତ ହୋଇଥିଲା। ପରେ ସେମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବାରୁ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। କିଏ ମୋବାଇଲ୍ରେ ଫଟୋ ଉଠାଉଥିଲେ, ଆଉ କିଏ ଭିଡିଓ କରିବାକୁ ଲାଗିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଧରିବା ପାଇଁ ବନ ବିଭାଗ ପକ୍ଷରୁ କୌଶଳକ୍ରମେ ତାରଜାଲ ବସାଯାଇଥିଲା। ପରେ ୫ଟି ଜୀବକୁ ଉଦ୍ଧାର କରାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି।
Dharitri – Odisha’s No.1 Odia Daily

