ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା କରିଥାନ୍ତି। ହେଲେ ବିଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ନ୍ୟାୟବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ୱାସ କମିବାରେ ଲାଗିଲା ଭଳି ମନେହେଉଛି। ବିଭିନ୍ନ ସ୍ତରରେ ବିଚାରପତିମାନେ ବିନା କାରଣରେ ଉପରୁପଡ଼ି ସରକାରଙ୍କ ସପକ୍ଷରେ ରାୟ ଶୁଣାଉଛନ୍ତି। ଏଥିସହିତ କେତେକ ବିଚାରପତି ଶିଳ୍ପପତିଙ୍କ ମାମଲା ଶୁଣାଣି ଲାଗି ଗଛପତ୍ରରେ ପଡ଼ିଯାଉଥିବା ଲକ୍ଷ୍ୟ କରାଯାଉଛି। ଦିଲ୍ଲୀ ହାଇକୋର୍ଟ ବିଚାରପତି ଥିବା ବେଳେ ଜଷ୍ଟିସ୍‌ ଯଶୋବନ୍ତ ବର୍ମାଙ୍କ ବାସଭବନରୁ ଅସଂଖ୍ୟ ପରିମାଣର ପୋଡ଼ା ଟଙ୍କା ମିଳିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଜଣେ ବିଚାରପତିଙ୍କ ଦୁର୍ନୀତି ସମ୍ପର୍କରେ ଆଉ ଜଣେ ନ୍ୟାୟମୂର୍ତ୍ତି ବିଭିନ୍ନ ପ୍ରକାର ଅନିୟମିତତା ଓ ପଦମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ ଆଣିବା ସାଧାରଣରେ ଦୃଷ୍ଟି ଆକର୍ଷଣ କରିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟା ରାଜସ୍ଥାନ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମା (ଯିଏକି ଗତ ସପ୍ତାହରେ ନିଜ ପଦବୀରୁ ଅବ୍ୟାହତି ନେଇଛନ୍ତି)ଙ୍କ ବିରୋଧରେ ଗୁରୁତର ଅନିୟମିତତାର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗଗୁଡ଼ିକ ଧନୀ ଆବେଦନକାରୀଙ୍କୁ ଫାଇଦା ପହଞ୍ଚାଇବା ପାଇଁ ମାମଲାଗୁଡ଼ିକର ତାଲିକାଭୁକ୍ତ କରିବାଠାରୁ ଆରମ୍ଭ କରି ନିଜ ପସନ୍ଦର ବ୍ୟକ୍ତିମାନଙ୍କୁ ଉଚ୍ଚ ଦରମାରେ କୋର୍ଟ କର୍ମଚାରୀ ଭାବେ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଲମ୍ବିଛି।
ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ଯାଞ୍ଚ ଚାଲିଥିବା ବେଳେ ଜଷ୍ଟିସ୍‌ ମେହେଟା ଅଗଷ୍ଟ ୩୦ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଲେଖିଥିବା ୪ର୍ଥ ଚିଠି ଏବେ ସାମ୍ନାକୁ ଆସିଛି। ଉକ୍ତ ଚିଠିରେ ଜଷ୍ଟିସ ମେହେଟା ଉଲ୍ଲେଖ କରିଛନ୍ତି ଯେ ଜଷ୍ଟିସ ଶର୍ମାଙ୍କ ମନମୁଖି, ସନ୍ଦେହଜନକ ଏବଂ ସ୍ପଷ୍ଟ ଭାବେ ବେଆଇନ କାର୍ଯ୍ୟକଳାପ ବାବଦରେ ତାଙ୍କ ପାଖରେ ଅଧିକ ସୂଚନା ଏବଂ ପ୍ରମାଣ ରହିଛି। ସୂଚନା ଦିଆଯାଇପାରେ ଯେ, ଗତ ଅଗଷ୍ଟ ୨, ଅଗଷ୍ଟ ୧୦ ଏବଂ ଅଗଷ୍ଟ ୧୭ରେ ଜଷ୍ଟିସ ମେହେଟା ସିଜେଆଇଙ୍କୁ ଜଷ୍ଟିସ୍‌ ଶର୍ମାଙ୍କ ବିରୋଧରେ ୩ଟି ଚିଠି ଲେଖିଥିଲେ। ଏଥିରୁ ଖିଅ ଟାଣି କହିହେବ ଯେ, ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ଭାରତର ପ୍ରଧାନ ବିଚାରପତି ନିରବ ରହିଥିଲେ। ସମ୍ଭବତଃ ସେହି ନିଷ୍କ୍ରିୟତା ଦେଖି ଜଷ୍ଟିସ ମେହେଟା ତାଙ୍କ ଶେଷ ଚିଠିକୁ ନିଜେ ସାର୍ବଜନୀନ କରିଦେଇଛନ୍ତି। ଏଭଳି ପର୍ଦ୍ଦାଫାଶ ଭାରତର ପ୍ରଧାନ ବିଚାରପତିଙ୍କ ସମ୍ପର୍କରେ ଅନେକ କଥା ଇଙ୍ଗିତ କରିପାରେ। ଏହିସବୁ ପତ୍ରରେ ଜଷ୍ଟିସ ଶର୍ମାଙ୍କ ଆଦର୍ଶ ଓ ସ୍ବଚ୍ଛତା ଉପରେ ଜଷ୍ଟିସ ମେହେଟା ପ୍ରଶ୍ନ ଉଠାଇଥିଲେ। ଏପରିକି ସୁପ୍ରିମକୋର୍ଟ କଲେଜିୟମର ଅନ୍ୟ ସଦସ୍ୟମାନଙ୍କୁ ଚିଠିର ନକଲ ମଧ୍ୟ ଦିଆଯାଇଥିଲା। ଜଷ୍ଟିସ୍‌ ଶର୍ମାଙ୍କ ବିରୋଧରେ ଅଭିଯୋଗଗୁଡ଼ିକ ସାର୍ବଜନୀନ ହେବା ପରେ ରାଜସ୍ଥାନ ହାଇକୋର୍ଟର ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୟ କୁମାର ଅଗ୍ରୱାଲ ଶପଥ ଗ୍ରହଣ କରିଛନ୍ତି।
ଜଷ୍ଟିସ୍‌ ମେହେଟାଙ୍କ ଅଭିଯୋଗର ଜବାବରେ ଜଷ୍ଟିସ ଶର୍ମା ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଗତ କିଛି ମାସ ଧରି ଜଷ୍ଟିସ ମେହେଟା ଏହି ବିଷୟରେ ନିରନ୍ତର ଚେଷ୍ଟା କରି ମଧ୍ୟ କୌଣସି ସୁଫଳ ପାଇ ନ ଥିବା ନେଇ କରିଥିବା ଦାବି ନିଶ୍ଚିତ ଭାବେ ନ୍ୟାୟପାଳିକାର ଭାବମୂର୍ତ୍ତିକୁ ମଳିନ କରିଦେଇଛି। ସେ କହିଛନ୍ତି ଯେ, ଜଷ୍ଟିସ ଶର୍ମାଙ୍କ ଏହି ଅତ୍ୟନ୍ତ ମନମୁଖି, ବିପଥଗାମୀ ଏବଂ ଦୁର୍ନୀତିଗ୍ରସ୍ତ କାର୍ଯ୍ୟକଳାପ ସମ୍ପର୍କରେ ସେ ବିଗତ କିଛି ମାସ ହେବ ନିୟମିତ ସିଜେଆଇଙ୍କ ସହ ଆଲୋଚନା କରିଆସୁଥିଲେ। ସେ ଦୁଃଖ ପ୍ରକାଶ କରିଛନ୍ତି ଯେ, ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବିଶ୍ୱସନୀୟତା ରକ୍ଷା କରିବା ପାଇଁ ତାଙ୍କର ଏହି ପ୍ରୟାସ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନାହିଁ। ତାଙ୍କ କହିବା କଥା ହେଲା ବାରମ୍ବାର ଚିଠି ଲେଖାଯିବା ସତ୍ତ୍ୱେ ଦେଖାଦେଇଥିବା ନିଷ୍କ୍ରିୟତା କେବଳ ଜଷ୍ଟିସ ଶର୍ମାଙ୍କୁ ତାଙ୍କର ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଜାରି ରଖିବାକୁ ଅଧିକ ସାହସ ଯୋଗାଇଛି। ଫଳରେ ଏହି ସାମ୍ବିଧାନିକ ସଂସ୍ଥାର ଗୁରୁତର କ୍ଷତି ଘଟିଛି ବୋଲି ଜଷ୍ଟିସ ମେହେଟା କହିଛନ୍ତି।
ସୂଚନା ଦିଆଯାଇପାରେ ଯେ, ଜଷ୍ଟିସ ଶର୍ମା ନଭେମ୍ବର ୨୦୧୬ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୨୨ରେ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ମାର୍ଚ୍ଚ ୨୦୨୩ରେ ତତ୍କାଳୀନ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ କଲେଜିୟମ ନିକଟରେ ଜଷ୍ଟିସ ଶର୍ମା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜସ୍ଥାନ ଫେରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ବଦଳରେ ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ମେ ୨୦୨୫ରେ ଏକ ନୂତନ କଲେଜିୟମ ତାଙ୍କୁ ରାଜସ୍ଥାନ ଫେରାଇ ଆଣିବାକୁ ସୁପାରିସ କରିଥିଲେ ଏବଂ ପରେ ସେ ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୋଇଥିଲେ। ଜଷ୍ଟିସ ଶର୍ମା ୧୦ ମାସରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପଦରେ ରହିଥିଲେ। ଏଠାରେ ଜଷ୍ଟିସ୍‌ ମେହେଟା ଯେଉଁଭଳି ଭାବେ ଚିଠିରେ ଜଷ୍ଟିସ୍‌ ଶର୍ମାଙ୍କ ବିଭିନ୍ନ ସ୍ଥାନରେ ନିଯୁକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି, ତାହା ବିଚାର ବ୍ୟବସ୍ଥାରେ କିଭଳି ପ୍ରିୟାପ୍ରୀତି ତୋଷଣ ଚାଲିଛି ତାହା ସ୍ପଷ୍ଟ କରୁଛି। ସୁପ୍ରିମକୋର୍ଟର ଗୋଟେ କଲେଜିୟମ୍‌ ଜଷ୍ଟିସ୍‌ ଶର୍ମାଙ୍କୁ ରାଜସ୍ଥାନ ହାଇକୋର୍ଟ ବଦଳି ନ କରିବାକୁ ଚାହିଁଥିବା ବେଳେ ପରବର୍ତ୍ତୀ ସମୟରେ ନୂଆ କଲେଜିୟମ୍‌ ତାଙ୍କୁ ବଦଳି କରାଇଦେବା ଅତ୍ୟନ୍ତ ଚିନ୍ତାର ବିଷୟ। ଯଦି ମେ ୨୦୨୫ରେ ଗଠିତ କଲେଜିୟମ୍‌କୁ ଦେଖାଯାଏ, ତେବେ ଦୁଇ ଜଣ ପ୍ରଧାନ ବିଚାରପତି ସେହି ମାସରେ ଦାୟିତ୍ୱରେ ଥିଲେ। ମେ ୧୩ଯାଏ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ଥିବା ବେଳେ ୧୪ରୁ ନୂତନ ଭାବେ ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗଭାଇ ଦାୟିତ୍ୱ ନେଇଥିଲେ। ଯିଏ ଦାୟିତ୍ୱରେ ଥାଆନ୍ତୁ ପଛେ ବଦଳି ନିର୍ଦ୍ଦେଶ ଦେବା ପୂର୍ବରୁ ଜଷ୍ଟିସ୍‌ ଶର୍ମାଙ୍କ ପୂର୍ବ ରେକର୍ଡ ଦେଖିବାର ଥିଲା। ହେଲେ ସେସବୁକୁ ଅଣଦେଖା କରାଯାଇଛି।
ଯେତେବେଳେ ସୁପ୍ରିମକୋର୍ଟର ଜଣେ ବିଚାରପତି ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେତେବେଳେ ତାହାକୁ ପ୍ରଧାନ ବିଚାରପତି ଓ କଲେଜିୟମ୍‌ରେ ଥିବା ସଦସ୍ୟମାନେ ଗୁରୁତ୍ୱ ଦେବା କଥା। ମାତ୍ର ଶର୍ମାଙ୍କ ଘଟଣାରେ ଜଷ୍ଟିସ ମେହେଟାଙ୍କ ଅଭିଯୋଗ ଉପରେ ଢାଙ୍କୁଣୀ ପକାଇ ଦିଆଯାଇଥିଲା। ଯଦି ନ୍ୟାୟପାଳିକାରେ ସ୍ବଚ୍ଛତା ଓ ସଚ୍ଚୋଟତାରେ ଅଭାବ ରହିବ, କଲେଜିୟମ ହେଉ ବା କିଛିବର୍ଷ ତଳେ ପ୍ରସ୍ତାବିତ ନ୍ୟାଶନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟସ୍‌ କମିଶନ (ଏନ୍‌ଜେଏସି) କିମ୍ବା ଭବିଷ୍ୟତରେ ଆହୁରି ଅନ୍ୟ କିଛି ବ୍ୟବସ୍ଥା ଆସିଲେ ମଧ୍ୟ ସୁଧାର ଆସିବ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri