ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍ ଇମେଜିଂ ଟେକ୍ନୋଲୋଜି ପାଇଁ ଆମେରିକାର ପ୍ୟାଟେଣ୍ଟ ପାଇବାରେ ପ୍ରଥମ ଭାରତୀୟ ଷ୍ଟାର୍ଟଅପ୍ ହୋଇପାରିଛି। ଅପ୍ଟୋସାର ଇମେଜିଂ ଟେକ୍ନୋଲୋଜି ଇଲେକ୍ଟ୍ରୋ-ଅପ୍ଟିକାଲ(ଇଓ) ଏବଂ ସିନ୍ଥେଟିକ୍ ଆର୍ପଚର ରାଡାର (ଏସ୍ଏଆର୍) ସେନ୍ସରକୁ ଗୋଟିଏ ଅପରେଶନାଲ ପ୍ଲାଟ୍ଫର୍ମରେ ଏକତ୍ର କରିଥାଏ। ଇଓ ସେନ୍ସରଗୁଡ଼ିକ ଦିନର ଆଲୋକ ଏବଂ ପରିଷ୍କାର ଆକାଶରେ ଉଚ୍ଚ-ରିଜୋଲ୍ୟୁଶନ ଛବି କ୍ୟାପ୍ଚର କରୁଥିବାବେଳେ ଏସ୍ଏଆର୍ ସେନ୍ସରଗୁଡ଼ିକ ରାଡାର ପଲ୍ସ ବ୍ୟବହାରକରି ସମସ୍ତ ପାଣିପାଗ ଏବଂ ସମସ୍ତ ସମୟର ଛବି ପ୍ରଦାନ କରିଥାଏ।
ଏକ ବିବୃତିରେ ଗାଲାକ୍ସଆଇର ପ୍ରତିଷ୍ଠାତା ତଥା ସିଇଓ ସୁୟଶ ସିଂହ କହିଛନ୍ତି, ଏହି ପ୍ୟାଟେଣ୍ଟପ୍ରାପ୍ତ ପ୍ରଯୁକ୍ତିବିଦ୍ୟା ଆମକୁ ବିଶ୍ୱ ବଜାରରେ ସେବା ଯୋଗାଇବା ଏବଂ ପ୍ରତିରକ୍ଷା, କୃଷି, ବୀମା, ବିପର୍ଯ୍ୟୟ ପ୍ରତିକ୍ରିୟା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାଣିପାଗ-ନିରପେକ୍ଷ ଇମେଜିଂ କ୍ଷମତା ପ୍ରଦାନ କରିବାକୁ ସକ୍ଷମ କରିଥାଏ। ଚଳିତବର୍ଷ ମେ’୩ ରେ ଗାଲାକ୍ସଆଇ ଏହାର ପ୍ରଥମ ସାଟେଲାଇଟ୍ ଏବଂ ବିଶ୍ୱର ପ୍ରଥମ ଅପ୍ଟୋସାର ଇମେଜିଂ ସାଟେଲାଇଟ୍ ‘ମିଶନ ଦୃଷ୍ଟି’ କ୍ଷେପଣ କରିଥିଲା। ତଥାପି ଜୁଲାଇ ୭ରେ କମ୍ପାନୀ ପକ୍ଷରୁ କୁହାଯାଯାଇଥିଲା ଯେ ଏହା ‘ମିଶନ ଦୃଷ୍ଟି’ ସହ ଯୋଗାଯୋଗ ହରାଇଛି ଏବଂ ଏହାକୁ ପୁନରୁଦ୍ଧାର କରିବାର ସମ୍ଭାବନା କମ୍ ରହିଛି। ଏକ ଜିଓମ୍ୟାଗ୍ନେଟିକ ସୌରଝଡ଼ର ସମ୍ମୁଖୀନ ହେବା ପରେ ସାଟେଲାଇଟ୍ରେ ତ୍ରୁଟି ଦେଖାଯିବାରୁ ଏହି ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଗାଲାକ୍ସଆଇ ସେହି ସମୟରେ ଆଲୋକପାତ କରିଥିଲା ଯେ ‘ମିଶନ ଦୃଷ୍ଟି’ ମୁଖ୍ୟ ମହାକାଶଯାନ ସିଷ୍ଟମଗୁଡ଼ିକୁ ସଫଳତାପୂର୍ବକ ଯାଞ୍ଚ କରିଛି, ଗୁରୁତ୍ୱପୂର୍ଣ୍ଣ ମୁତୟନ ଓ ଆଟିଟ୍ୟୁଡ୍ କଣ୍ଟ୍ରୋଲ କାର୍ଯ୍ୟକଳାପଗୁଡ଼ିକୁ ସଫଳତାପୂର୍ବକ ସମ୍ପାଦନ କରିଛି ଏବଂ ଅନ୍ବୋର୍ଡ କମ୍ପ୍ୟୁଟିଂ ଓ ଯୋଗାଯୋଗ ସିଷ୍ଟମକୁ ପରିଚାଳନା କରିଛି।
Dharitri – Odisha’s No.1 Odia Daily

