Categories: ଖେଳ

ବିଗ୍‌ ବାସ ଲିଗ୍‌ରେ ପଦାର୍ପଣ କରିବେ ଡି ଭିଲର୍ସ

ସିଡ୍‌ନୀ, ୧।୧୦ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ପଦାର୍ପଣ କରିବେ। ବିବିଏଲ୍‌ର ଆଗାମୀ ସଂସ୍କରଣ ୨୦୧୯-୨୦ରେ ସେ ବ୍ରିସବେନ ହିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଟିମ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଆଠ ଦଳୀୟ ଏହି ପ୍ରତିଯୋଗିତା ଡିସେମ୍ବରରୁ ଫେବ୍ରୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୩୫ ବର୍ଷୀୟ ଡି ଭିଲର୍ସ ପ୍ରତିଯୋଗିତାର ଦ୍ୱିତୀୟାର୍ଦ୍ଧରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ପ୍ରଥମଥର ଲାଗି ଡି ଭିଲର୍ସଙ୍କ ସହ କାମ କରିବାର ସୁଯୋଗ ମିଳିଛି ବୋଲି ବ୍ରିସବେନ୍‌ ହିଟ୍‌ର କୋଚ୍‌ ଡାରେନ ଲେହମ୍ୟାନ କହିଛନ୍ତି। ‘ମିଷ୍ଟର୍‌ ୩୬୦ ଡିଗ୍ରୀ’ ଭାବେ ପରିଚିତ ଡି ଭିଲର୍ସ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୪ ବର୍ଷ ଧରି ପ୍ରତିନିଧିତ୍ୱ କରିବା ପରେ ଗତବର୍ଷ ଅଚାନକ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟକୁ ଅଲ୍‌ବିଦା କରିଥିଲେ। ସେ ୧୧୪ ଟେଷ୍ଟ, ୨୩୮ ଦିନିକିଆ ଓ ୭୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଆଇପିଏଲ୍‌ର ଗତ ସଂସ୍କରଣରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ୪୪.୨୦ ଆଭରେଜରେ ୪୪୨ ରନ୍‌ ସଂଗ୍ରହ କରିଛନ୍ତି।

Share