ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ ମନା କରିବା ପରେ ସେମାନେ ଏହିପରି ଅସନ୍ତୋଷ ଜାହିର କରିଛନ୍ତି। ରାମପୁର, ଅଇଳାମୁଣ୍ଡା, ନାଇକେନପାଲି, ସାରସମାଲ, ପଣ୍ଡକିଟାଲ, ବଲେନପାଲି, ତେଲିପାଲି, ଚନ୍ଦଲି, ଭବାନୀପାଲି, କଣ୍ଟାପାଲି ଓ ଟାଙ୍ଗରକର୍ଲେ ଅଞ୍ଚଳର ଶତାଧିକ ଚାଷୀ ପ୍ରାୟ ୨ହଜାର ଲିଟର କ୍ଷୀର ରାସ୍ତାରେ ଢାଳିଛନ୍ତି। ଓମ୍‌ଫେଡ ସ୍ଥାନୀୟ ଗୋଚାଷୀଙ୍କଠାରୁ ଦୁଗ୍ଧ କିଣି ସମ୍ବଲପୁରସ୍ଥିତ ପ୍ଲାଣ୍ଟରେ ପ୍ରୋସେସିଂ କରି ବଜାରରେ ଦୁଗ୍ଧ, ଦୁଗ୍ଧରୁ ପ୍ରସ୍ତୁତ ଦହି, ଛେନା, ପନିର, ରାବିଡି ଓ ଲସି ବିକ୍ରି କରିଥାଏ। ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଥିବାରୁ ବଜାରରେ କ୍ଷୀରର ଚାହିଦା ନାହିଁ। ଦୁଗ୍ଦ ଓ ଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟର ବିକ୍ରି ବଟାରେ କଟକଣା ନ ଥିଲେ ହେଁ ଏହା ଆଉ ଆଗଭଳି ବିକ୍ରି ହେଉନି। ତେଣୁ ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କିଛି ଦିନ ହେବ ଗୋଟିଏ ଦିନ ଅନ୍ତରରେ କ୍ଷୀର କିଣୁଥିଲା। ମଙ୍ଗଳବାରଠାରୁ ଦୁଇ ଦିନ ଅନ୍ତରରେ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ କର୍ତ୍ତୃପକ୍ଷ କହିବା ପରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଗୋ ଚାଷୀ ସରୋଜ କଲତା କୁହନ୍ତି, ବ୍ୟାଙ୍କରୁ ଋଣ କରି ୩୫ରୁ ୪୦ ହଜାର ଟଙ୍କାରେ ଗୋଟିଏ ଲେଖାଏଁ ଗାଈ କିଣିଛୁ । ଦୁଗ୍ଦ ବିକ୍ରି ନ ହେଲେ ବ୍ୟାଙ୍କ ଋଣ କିପରି ଶୁଝିବୁ। ସେହିପରି ଚାଷୀ ସହଦେବ ଦନ୍ତା କୁହନ୍ତି, ଦୁଗ୍ଦ ବିକ୍ରି ନ ହେଲେ ଗାଈକୁ କଣ ଖାଇବାକୁ ଦେବୁ ଓ ପରିବାର କିଭଳି ପ୍ରତି ପୋଷଣ କରିବୁ ସେହି ଚିନ୍ତାରେ ଅଛୁ। ଚାଷୀଙ୍କ ଦୁଃଖ ନ ବୁଝି କ୍ଷୀର କ୍ରୟ ବନ୍ଦ କରିବା ପରିତାପର ବିଷୟ । ସରକାର ସମସ୍ୟା ବୁଝିବା ସହ ଗୋଚାଷୀଙ୍କୁ ସହାୟତା ଓ ଗାଈଙ୍କୁ ଦାନା ଯୋଗାଇ ଦେବାକୁ ମଠ ପୁଟେଲ, ବିକାଶ ଅଗ୍ରଓ୍ବାଲା, ଦୀନବନ୍ଧୁ ମେହେର, ବୀରେନ୍ଦ୍ର ମାଟି, ପ୍ରଫୁଲ୍ଲ କୁମ୍ଭାର ଓ ପରମା ଥାଟି ପ୍ରମୁଖ ଗୋ ଚାଷୀ ଅନୁରୋଧ କରିଛନ୍ତି ।